ଆଜିଠାରୁ କୋହଳ ହେବ କଟକଣା; ଜାଣନ୍ତୁ, କେଉଁ କେଉଁ କାମ ହେବ ସ୍ୱାଭାବିକ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ  ଲକ୍‌ଡାଉନ କଟକଣା ଆଜିଠାରୁ କୋହଳ ହେବ । ଅଣସମ୍ବେଦନଶୀଳ କ୍ଷେତ୍ରକୁ ଗୁରୁତ୍ୱ ଦେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କୃଷି କାର୍ଯ୍ୟକ୍ରମ ସହ ଖୋଲିବ ସରକାରୀ ଅଫିସ। ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ ।କୃଷିକାର୍ଯ୍ୟରେ ବିହନ, ସାର, କୀଟନାଶକ ଓ ଆବଶ୍ୟକ କୃଷି ଯନ୍ତ୍ରପାତି ପାଇଁ ଦୋକାନ ଖୋଲା ରହିବ ।

ଉଦ୍ୟାନ କୃଷି ଓ ମତ୍ସ୍ୟ ଚାଷ କ୍ଷେତ୍ରରେ ସମସ୍ତ କାର୍ଯ୍ୟକୁ ମଧ୍ୟ କଟକଣା ମୁକ୍ତ କରାଯାଇଛି। ସେମିତି ସାମାଜିକ ଦୂରତା ରଖି ଆରମ୍ଭ ହୋଇଛି MGNREGA କାମ।  ତେବେ ନିର୍ମାଣ କାମ ଚାଲୁ ରଖିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା SOP ପାଳନକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିର୍ମାଣ ପାଇଁ ଅନୁମତି ମିଳିଛି । ୬୦ ବର୍ଷରୁ ଅଧିକ ବୟସର ଶ୍ରମିକଙ୍କୁ କାମ କରିବାକୁ ଅନୁମତି ନାହିଁ । ଡାକ୍ତରଖାନା, ପଶୁଚିିକିତ୍ସା ସେବା ଓ ଅତ୍ୟାବଶ୍ୟକ ସେବା ପରିବହନ ପାଇଁ ଘରୋଇ ଗାଡି ଯାତାୟତକୁ ଅନୁମତି ମିଳିବ । ଚାରି ଚକିଆରେ ଡ୍ରାଇଭର ବାଦ୍ ଜଣେ ଲୋକ ଓ ଦୁଇ ଚକିଆରେ କେବଳ ଚାଳକକୁ ଅନୁମିତି ମିଳବ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏ ନେଇ ନିର୍ଦ୍ଦେଶନାମା ପ୍ରକାଶ କରିଛି। ତେବେ ଯେଉଁ ସହର ଗୁଡିକରେ କରୋନା ବିପଦ ରହିଛି ତାକୁ ହାଇରିସ୍କ ଜୋନ୍ ଭାବେ ଗ୍ରହଣ କରାଯାଇ ସେସବୁ ସ୍ଥାନରେ ଘରୋଇ ଗାଡିରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଉପରେ ବି କଟକଣାକୁ ବଳବତ୍ତର ରଖାଯିବ। ସେ ସବୁ ଜିଲ୍ଲା ମଧ୍ୟରେ ରହିଛି ଖୋର୍ଦ୍ଦା, ଭଦ୍ରକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କଟକ, ପୁରୀ, କଳାହାଣ୍ଡି ଓ ଢେଙ୍କାନାଳ।

ତେବେ ଗ୍ରାମାଞ୍ଚଳରେ ସବୁ ପ୍ରକାର ରାସ୍ତା, ବ୍ରିଜ ଓ ଫ୍ଲାଏଓଭର ନିର୍ମାଣ ସହ ମରାମତି, ଜଳସେଚନ କାମ , ଘର ଓ ଶିଳ୍ପ ପାଇଁ ବି ନିର୍ମାଣ କାମକୁ ଅନୁମତି ମିଳିବ। ସରକାରୀ କାର୍ଯ୍ୟାଳୟ ଖୋଲା ରହିବ ଓ କେଉଁ କର୍ମଚାରୀ ଆସିବେ ସେ ନେଇ ବି ଗାଇଡଲାଇନ ଜାରି ହୋଇଛି । ଏହାସହ କିଛି ଔଦ୍ୟୋଗିକ କ୍ଷେତ୍ରରେ ମଧ୍ୟ କଟକଣାକୁ କୋହଳ କରାଯିବ ।

ଏଥିରେ ତୈଳ, ଗ୍ୟାସ , ରିଫାଇନାରୀ, କୋଇଲା ଉତ୍ପାଦନ, ଖଣିଜ ଉତ୍ତୋଳନ ପରିବହନକୁ ବି ଅନୁମତି ମିଳିବ । ଆଇଟି, ହାର୍ଡେଓ୍ୱର ନିର୍ମାଣ, ଔଷଧ ଓ ଚିକିତ୍ସା ଉପକରଣ ଉତ୍ପାଦନ, ସ୍ପେଶାଲ ଇକୋନମିକ ଜୋନ୍ ରପ୍ତାନୀ ଭିତ୍ତିକ ଶିଳ୍ପ, ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ ଓ ଇଣ୍ଡଷ୍ଟ୍ରିଆଲ ଟାଉନସିପରେ  ଥି ଶିଳ୍ପଦ୍ୟୋଗଗୁଡ଼ିକ ବି ଚାଲିବ ।

ତେବେ କଟକ ଓ ଭୁବନେଶ୍ୱରରେ ଲକ୍‌ଡାଉନ୍ କଟକଣା ପୂର୍ବଭଳି ଜାରି ରହିବ । ଏନେଇ ଟ୍ୱୀଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ରାଜ୍ୟରେ କୃଷି କାର୍ଯ୍ୟ ନେଇ ଲକଡାଉନ କୋହଳ କରାଯାଇଥିଲେ ବି ଟ୍ୱିନ୍‌ସିଟିରେ ଏହା ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ କରିବା ସହ ଘରେ ରହିବାକୁ ଏବଂ ନିରାପଦ ରହିବାକୁ ଟ୍ୱିଟ୍ ମାଧ୍ୟମରେ ସେ ଲୋକଙ୍କୁ ନିବେଦନ କରିଛନ୍ତି।

ଯାଜପୁର ଜିଲ୍ଲାରେ ପର୍ଯ୍ୟାୟକ୍ରମେ ସମସ୍ତ ସରକାରୀ କାଯର୍ୟାଳୟ ଖୋଲିବ । ସରକାରୀ ଶିଳ୍ପ ପ୍ରତିଷ୍ଠାନ, ସରକାରୀ ଅନୁମୋଦିତ ହୋଇଥିବା କାର୍ଯ୍ୟ ଲାଗି ବିଭିନ୍ନ ଦୋକାନ ମଧ୍ୟ ଖୋଲିବ । ଏହାସହ ଅତ୍ୟାବଶ୍ୟକ ସାମଗ୍ରୀ ଲାଗି ଦୋକାନ ପୂର୍ବ ଧାର୍ଯ୍ୟ ସମୟ ଅନୁସାରେ ଖୋଲିବ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ଯାନବାହନର ସୁବିଧା ଲାଗି ପେଟ୍ରୋଲ ପମ୍ପ ଏବଂ ସର୍ଭିସ ସେଣ୍ଟର ମଧ୍ୟ ଖୋଲା ରହିବ ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ।

You might also like