କ୍ୟାବିନେଟ ନିଷ୍ପତ୍ତି: ରାଜ୍ୟରେ ଲକ୍‌ଡାଉନ ଅବଧି ବଢିବ

ଭୁବନେଶ୍ୱର: କରୋନାର ମୁକାବିଲା ପାଇଁ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏଥିରେ ୯ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି। ଏପ୍ରିଲ ୧୪ ତାରିଖରେ ୨୧ଦିନିଆ ଲକ୍‌ଡାଉନ୍‌ ଅବଧି ସରୁଥିବା ବେଳେ ଏହାକୁ ଏପ୍ରିଲ ୩୦ ତାରିଖ ଯାଏ ବୃଦ୍ଧି ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।

ଏହି ଭିଡିଓ କନ୍‌ଫରେନ୍ସିଂରେ ୫ଜଣ ମନ୍ତ୍ରୀ ଯୋଗ ଦେଇଥିଲେ ।  ଲକଡାଉନ୍ ବେଳେ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗର କାର୍ଯ୍ୟକୁ   ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଲୋକମାନେ ସହଯୋଗ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ପ୍ରଥମଥର ପାଇଁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କ୍ୟାବିନେଟ୍ ବୈଠକ ହୋଇଥିଲା ।

ଏପ୍ରିଲ ୩୦ ଯାଏ ଲକ୍‌ଡାଉନ୍‌ ବୃଦ୍ଧି ପାଇଁ କେନ୍ଦ୍ରକୁ ସୁପାରିଶ କରାଯିବା ସହ ସେ ପର୍ଯ୍ୟନ୍ତ ଟ୍ରେନ ଓ ବିମାନ ସେବା ବନ୍ଦ ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି। 

କ୍ୟାବିନେଟ ବୈଠକ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଦେଇଛନ୍ତି । ଏହି ବାର୍ତ୍ତାରେ ସେ କହିଛନ୍ତି,  ଜୁନ୍‌ ୧୭ ଯାଏ ସ୍କୁଲକଲେଜ ବନ୍ଦ ରହିବ । ଏଥିସହିତ ରାଜ୍ୟ ବାହାରେ ଥିବା ଶ୍ରମିକ ଭାଇଙ୍କ ଯତ୍ନ ନେବାକୁ ସଂପୃକ୍ତ ରାଜ୍ୟଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।  ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ ଅଟକି ଥିବା ଅନ୍ୟ ରାଜ୍ୟ ଶ୍ରମିକଙ୍କ ଯତ୍ନ ନେଉଛନ୍ତି।

ଲକ୍‌ଡାଉନ ସମୟରେ କୃଷିକାମ ଚାଲିଛି। ସେହିପରି ଶ୍ରମିକମାନଙ୍କ ସୁବିଧା ପାଇଁ ମନରେଗା କାର୍ଯ୍ୟ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ସାମାଜିକ ଦୂରତ୍ୱକୁ  ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

କରୋନାକୁ ଚଳିତ ଶତାବ୍ଦୀର ସବୁଠାରୁ ବଡ ବିପତ୍ତି ବୋଲି ଦର୍ଶାଇ ରାଜ୍ୟରେ ୧ ଲକ୍ଷ ରାପିଡ୍ ଟେଷ୍ଟିଂ ପାଇଁ ସରକାର ପଦକ୍ଷେପ ନେଇଥିବା ସେ ସ୍ପଷ୍ଟ କରିଥିଲେ। ଏଥିସହ ସମସ୍ତଙ୍କୁ କରୋନାର ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।

 

You might also like