ଚିନ୍ତା ବଢାଉଛି କରୋନା: ପୁଣି ଫେରିପାରେ ଲକଡାଉନ

ଫେରିବ କି ଲକଡାଉନ?

ଭୁବନେଶ୍ୱର: ସତର୍କତାରେ ଢିଲା ପଣ ପାଇଁ ରାଜ୍ୟକୁ ପୁଣି ଫେରିପାରେ ଲକଡାଉନ। ରାଜ୍ୟରୁ କରୋନା କୋପ କମିଥିଲେ ବି ଏବେ କୋଭିଡର ପରିବର୍ତ୍ତିତ ରୂପ ପୁଣି ଡରାଇବା ଆରମ୍ଭ କରିଥିବା ଦେଖିବାକୁ ମିଳିଲାଣି। ବିଦେଶ ପରେ ଦେଶର ୫ ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ଏ ଭୟ ପୁଣି ଚିନ୍ତା ବଢାଇଲାଣି। ଏପଟେ ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୯୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏ ସଂଖ୍ୟା ଗତ ୩ ସପ୍ତାହ ଭିତରେ ସବୁଠୁ ଅଧିକ ବୋଲି ଜଣାଯାଇଛି। ତେବେ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ବି ଲୋକେ ଆଗଭଳି ଆଉ ସତର୍କ ଓ ସଜାଗ ରହୁନଥିବା ଦେଖାଯାଉଛି। ଆଉ କରୋନାକୁ ରୋକିବାକୁ  ଆଗାମୀ ଦିନରେ କଟକଣାକୁ ପୂରା ଗୁରୁତ୍ୱ ଦିଆଯିବ ବୋଲି କମିଶନରେଟ୍ ପୋଲିସ କହିବା ପରେ ଚିନ୍ତା ବଢିଛି।

ରାଜ୍ୟରେ ଧୀରେ ଧୀରେ କରୋନା କମିବା ପରେ ଆଉ କଟକଣାକୁ ମାନୁନାହାନ୍ତି ଲୋକେ। ବିଭିନ୍ନ ସହରରେ ଲୋକମାନେ କରୋନା କଟକଣାର ଧଜିଆ ଉଡାଉଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ସାମାଜିକ ଦୂରତା ହେଉ କି ମାସ୍କ ପିନ୍ଧିବା କେଉଁ ଗୋଟିଏ ବି ଠିକରେ ପାଳନ ହେଉନି। ଏଣେ ମହାମାରୀର ଭୟ ସମ୍ପୂର୍ଣ୍ଣ ଦୂର ହୋଇନଥିଲେ ବି ଲୋକଙ୍କର ଏ ବେପରୁଆ ମନୋଭାବ ପୁଣି ବଢାଇ ଦେଇଛି ସଂକ୍ରମଣର ଆଶଙ୍କା।

ବ୍ରିଟେନ୍, ବ୍ରାଜିଲ, ଆମେରିକା ଭଳି କିଛି ଦେଶ ପରେ ଭାରତର କିଛି ରାଜ୍ୟରେ କରୋନାର ନୂଆ ରୂପ ପୁଣି ଆତଙ୍କ ଖେଳାଇଥିବାରୁ ସତର୍କ ହୋଇଛନ୍ତି ସରକାର। ଗତକାଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କ ଚିଠି କରି କୋଭି଼ଡ୍ ଉପଯୁକ୍ତ ବ୍ୟବହାରର କଡ଼ା ପାଳନ ସହ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପଟେ ଡିଏମ୍ଇଟି କହିଛନ୍ତି, ରାଜ୍ୟରେ ଏବେ ବି ବନ୍ଦ ହୋଇନି କଣ୍ଟେନମେଂଟ ପ୍ରକ୍ରିୟା। ଆଗକୁ ଯଦି ସ୍ଥିତି ଅଧିକ ବିଗିଡ଼େ କିମ୍ବା ଆବଶ୍ୟକ ପଡ଼େ ତେବେ ପୁଣି ଲକଡାଉନ୍ ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

ଗଲା କିଛି ଦିନ ମଧ୍ୟରେ କେରଳ, ମହାରାଷ୍ଟ୍ର, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଅତି ଦ୍ରୁତଗତିରେ ବଢୁଛି କରୋନା ସଂକ୍ରମଣ। ଏମିତିକି ମହାରାଷ୍ଟ୍ରରେ କିଛି ଅଞ୍ଚଳରେ ପୁଣି ଲକଡାଉନ୍ ପ୍ରକ୍ରିୟା ଫେରି ଥିବାରୁ ଚିନ୍ତା ବଢ଼ିଛି ରାଜ୍ୟରେ। ଏପଟେ ଦେଶରେ ଗଲା କିଛି ମାସ ଧରି ଧୀମା ପଡ଼ିଥିବା କରୋନା ମିଟର ଏବେ ଉର୍ଦ୍ଧ୍ୱମୁଖୀ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୧୩ ହଜାର ୯୯୩ ନୂଆ ସଂକ୍ରମିତ। ସେହିଭଳି ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ବି ହୋଇଛି।

ଏପଟେ କରୋନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଡିଏମଇଟି ସିବିକେ ମହାନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ କଂଟେନମେଂଟ ପ୍ରକ୍ରିୟାକୁ ବନ୍ଦ କରାଯାଇନାହିଁ। ଯେତେବେଳେ ଯେଉଁଠାରେ ଆବଶ୍ୟକତା ପଡ଼ିବ ତାହା କରାଯିବ। ଦରକାର ପଡିଲେ ଲକଡାଉନ ବି ହୋଇପାରେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଆଉ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଭୟଭୀତ ହେବାର ଆବଶ୍ୟକତା ନାହିଁ କିନ୍ତୁ ସତର୍କ ରହିବା ନିହାତି ଦରକାର। ଆମେ ମାନସିକ ଭାବରେ ନିୟମ ମାନିବା ଦରକାର, ଯାହାଦ୍ୱାରା ନିଜେ ସୁରକ୍ଷିତ ରହିବା ସହ ଅନ୍ୟକୁ ସୁରକ୍ଷା ଦେଇପାରିବା ବେଲି ସେ କହିଛନ୍ତି।

ଆଜିର ପଜିଟିଭ୍ ସଂଖ୍ୟା ଗଲା ୨୨ ଦିନ ଭିତରେ ସବୁଠୁ ଅଧିକ ହୋଇଥିବାରୁ ଚିନ୍ତା ବଢ଼ିଛି। ଏଭଳି ସ୍ଥିତିରେ କରୋନା ପ୍ରତିହତ ପାଇଁ ରାଜ୍ୟବାସୀଙ୍କୁ ଅଧିକ ସତର୍କ ହେବାକୁ ବିଶେଷଜ୍ଞ ପରାମର୍ଶ ଦେଇଥିବା ବେଳେ ରାଜଧାନୀରେ କରୋନା କଟକଣାକୁ କଡ଼ାକଡ଼ି କରିବାକୁ ଚେତାବନୀ ଦେଇଛି କମିଶନରେଟ୍ ପୋଲିସ।

ରାଜ୍ୟର ଗତ ୫ ଦିନର କରୋନା ତଥ୍ୟ ଉପରେ ନଜର ପକାଇଲେ ଦେଖିବେ ଯେ,  ରାଜ୍ୟରେ ଦୈନିକ ହାରାହାରି ୬୩ ଜଣ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏଣେ ଭ୍ୟାକ୍ସିନ୍ ସମସ୍ତଙ୍କ ନିକଟରେ ପହଞ୍ଚି ନଥିବାରୁ ନୂଆ ଷ୍ଟ୍ରେନ୍ ଆସିବା ପୂର୍ବରୁ କେବଳ ସତର୍କତା ହିଁ ଜରୁରୀ ହୋଇପଡ଼ିଛି

You might also like