ଲକ୍‌ଡାଉନ୍‌ କଟକଣା : ଅମାନିଆଙ୍କ ଉପରେ ପୋଲିସର କଡ଼ା ନଜର

ଭୁବନେଶ୍ୱର : କୋଭିଡ ସ୍ଥିତିକୁ ନେଇ ଆଜି ମଧ୍ୟ ଜାରି ରହିବ ଲକଡାଉନ କଟକଣା । ସକାଳ ୬ରୁ ଦିନ ୧୨ ଭିତରେ ଜରୁରୀ ସାମଗ୍ରୀ କିଣାକୁ ଅନୁମତି ରହିଛି । ଅନ୍ୟପଟେ ବିନା କାରଣରେ ବାହାରେ ବୁଲୁଥିବା ଅମାନିଆଙ୍କ ଉପରେ ପୋଲିସର କଡ଼ା ନଜର ରହିଛି । ଅମାନିଆଙ୍କୁ ସାବାଡ କରିବାକୁ ପୋଲିସ ପକ୍ଷରୁ କଡା ଚେକିଂ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ଓ କଟକରେ ଏନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ତେବେ ପରିବା ଦୋକାନ, ସହ ମାଛ, ମାଂସ, ଅଣ୍ଡା, କ୍ଷୀର, ଫଳ ଓ କିରାଣି ଦୋକାନକୁ ବିକ୍ରି ଅନୁମତି ରହିଛି ।

ସହରାଞ୍ଚଳରେ ଲୋକଙ୍କ ପାଖରେ ମାତ୍ର ୫ ଦିନ ଦୋକାନ ଖୋଲିବା ସୁବିଧା ରହୁଥିବାରୁ ସକାଳୁ ଦୋକାନ ଗୁଡିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ସେହିପରି ପରିବାର ବଜାରରେ ମଧ୍ୟ ଲୋକଙ୍କ ପ୍ରବଳ ଭିଡ଼ ରହୁଛି । ଦିନ ୧୨ଟାରେ ଦୋକାନ ବନ୍ଦ ହୋଇଯାଉଥିବାରୁ ଲୋକେ ଖାଦ୍ୟ ସାମଗ୍ରୀ କିଣିବାକୁ ଭିଡ଼ ଲଗାଉଛନ୍ତି । ତେବେ ଦୋକାନରେ ଯେପରି ଭିଡ଼ ନ ହେବ ସେନେଇ ପୋଲିସ କଡା ବ୍ୟବସ୍ଥା କରିଛି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱକୁ ପାଳନ କରିବାକୁ ଲୋକଙ୍କୁ ପରାମର୍ଶ ଦେଉଛି ।

ସେହିପରି ଗତ ୨୪ ଘଣ୍ଟାରେ ୯୭୯୩ କରୋନା ପଜିଟିଭ୍ ଚିହ୍ନଟ ହେବାସହ ୧୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୩, କଳାହାଣ୍ଡି, ସୁନ୍ଦରଗଡ଼, ରାୟଗଡ଼ାରେ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୧୫କୁ ବୃଦ୍ଧି ପାଇଛି। ଗତକାଲି ରାଜ୍ୟରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ତେବେ କିଛିଦିନ ଧରି ଲଗାତାର ଭାବେ ୧୦ ହଜାର ଉପରେ ଚିହ୍ନଟ ହେଉଥିବା ନୂଆ ସଂକ୍ରମଣ ଟ୍ରେଣ୍ଡରେ ବିରାମ ଆସିଛି।
ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି।

ଏସ୍‌ପ୍ଲାନେଡ୍ ମଲ୍ ପରି ଆଉ ୩ଟି ସ୍ଥାନରେ ଡ୍ରାଇଭ୍ ଇନ୍ ଅର୍ଥାତ ଗାଡ଼ିରେ ବସି ଟିକା ନେବାର ବ୍ୟବସ୍ଥା କରାଯାଇଛି । କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍, ସିମ୍ଫୋନି ମଲରେ ପାର୍କିଂ ଲଟ୍ ଏବଂ ପଟିଆ ସ୍ଥିତ କିଟ୍ ୟୁନିଭର୍ସିଟିର କ୍ରିକେଟ୍ ଷ୍ଟାଡିୟମ୍ ଏସବୁ ସ୍ଥାନରେ କେବଳ ୪୫ ବର୍ଷରୁ ଅଧିକ ବର୍ଗର ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ ବୋଲି ବିଏମ୍ସି କହିଛି । ଆଜିଠାରୁ ୧୫ ତାରିଖ ଯାଏ ଟିକାକରଣ ଚାଲିବ। ଗୋଟିଏ ଗୋଟିଏ ସ୍ଥାନରେ ଦୈନିକ ୩୦୦ ଲୋକଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି ।

You might also like