ପରିସ୍ଥିତି ବିଗିଡ଼ିଲେ ଲକ୍ଡାଉନ୍ ହୋଇପାରେ: ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବହୁତ କଷ୍ଟରେ କରୋନା ନିୟନ୍ତ୍ରଣକୁ ଆସିଛି। ହେଲେ ଏବେବି ସମସ୍ତଙ୍କୁ କରୋନା କଟକଣା ମାନିବାକୁ ପଡ଼ିବ। ଏସ୍ଆର୍ସି ଗାଇଡ୍ଲାଇନ୍ସ ମଧ୍ୟ ପ୍ରସ୍ତୁତ କରିଛନ୍ତି। ସମସ୍ତଙ୍କୁ ମାସ୍କ ପିନ୍ଧିବା, ସାନିଟାଇଜେସନ୍, ସାମାଜିକ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଇଛି।
ମନ୍ତ୍ରୀ ନବ ଦାସ ଆହୁରି କହିଛନ୍ତି, ‘ଯଦି ଜନସାଧାରଣ କୋଭିଡ୍ କଟକଣା ପାଳନ କରନ୍ତି, ତା’ହେଲେ ଆମକୁ ଆଉ ଲକ୍ଡାଉନ୍ କରିବାକୁ ପଡ଼ିବ ନାହିଁ। କିନ୍ତୁ ପରିସ୍ଥିତି ଯଦି ଖରାପ ହୁଏ, ତା’ହେଲେ ଲକ୍ଡାଉନ୍ ହୋଇପାରେ। ପରିସ୍ଥିତିକୁ ନେଇ ନିଷ୍ପତ୍ତି ନିଆଯିବ। ଏହାସହ କୋଭିଡ୍ ନିୟମ ମାନିବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
ଅନ୍ୟପକ୍ଷେ, ରାଜ୍ୟରେ କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଓଡ଼ିଶାରେ ଏଯାଏ କରୋନାର ନୂଆ ଷ୍ଟ୍ରେନ୍ ମିଳିନି। ତଥାପି ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ମାର୍ଚ୍ଚ ମାସରୁ ୫୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯିବା ପାଇଁ ଲକ୍ଷ୍ୟ ରହିଛି। ସଂକ୍ରମଣ ବଢ଼ିଲେ ବନ୍ଦ ଥିବା କୋଭିଡ୍ ହସ୍ପିଟାଲ ପୁଣି ଥରେ ଖୋଲାଯିବ।