ବାଲେଶ୍ୱରରେ ଲକ୍‌ଡାଉନ୍‌: ଅମାନିଆଙ୍କୁ ସାବାଡ କରିପାରୁନି ପୋଲିସ

ବାଲେଶ୍ୱର: ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି । ସମସ୍ତେ ବର୍ତ୍ତମାନ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । କରୋନା ରୋଗୀ ଚିହ୍ନଟ ହେବା ପରେ ଆଖପାଖ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଲକ୍‌ଡାଉନ କଟକଣା କଡାକଡି କରାଯାଇଛି। ତଥାପି ଏଠାରେ ଅମାନିଆ ଲୋକେ ମାନୁ ନାହାନ୍ତି। ଖୁଲମଖୁଲା ବୁଲୁଛନ୍ତି । ଯାହା ପୋଲିସ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି।

ପ୍ରଥମେ ନେଳିଆବାଗ, ବରହମପୁରରୁ ପଜିଟିଭ୍ ଆସିଥିବା ପରେ ଏବେ ବାହାନଗା ବ୍ଲକର ବିଷ୍ଣୁପୁର ଓ ଗୋପାଳପୁର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭ୍ । ଏହାପରେ ବିଷ୍ଣୁପୁରର ୧୨ଟି ଅଞ୍ଚଳକୁ ସଂପୂର୍ଣ୍ଣ ଆବଦ୍ଧ କରିଛି ଜିଲ୍ଲା ପ୍ରଶାସନ । ଏହିସବୁ ଗାଁର ପ୍ରବେଶ ପଥରେ ପୋଲିସ ମୁତୟନ ରହିଛନ୍ତି।

ସେପଟେ ଗତକାଲି ୭ ଜଣ ଶ୍ରମିକଙ୍କୁ ପୋଲିସ ନେଇ ମାହେଶ୍ୱରୀ ଭବନରେ କ୍ୱାରେଣ୍ଟିନରେ ରଖାଯାଇଛି। ଏମାନେ ଝାଡ଼ଖଣ୍ଡ ଅଞ୍ଚଳର ହୋଇଥିବାବେଳେ କଟକରେ ରହି କାମ କରୁଥିଲେ । ତେବେ ଗୋଟିଏ ଗାଡ଼ିରେ କଟକରୁ ଆସି ବାଲେଶ୍ୱରରେ ପହଞ୍ଚିଥିଲେ ।

ସହଦେବଖୁଣ୍ଟା ଫ୍ଲାଏ ଓଭରରେ ଚେକିଂ ବେଳେ ଏମାନଙ୍କୁ ଗାଡ଼ିରୁ ଓହ୍ଲାଇ ଦିଆଯାଇଥିଲା । ପୋଲିସ ଏମାନଙ୍କୁ ନେଇ ମାହେଶ୍ୱରୀ ଭବନରେ ରଖିଛି।

ତେବେ କଟକଣା ସତ୍ତ୍ୱେ ଲୋକେ ମାନୁନାହାନ୍ତି। ଲକ୍‌ ଡାଉନ ଗାଇଡ ଲାଇନ ମାନୁନାହାନ୍ତି। ଗତକାଲି ପୋଲିସ ୧୦୦ଗାଡି ଜବତ କରି ୧ ଲକ୍ଷ ୮୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଆଜି ମଧ୍ୟ ପୋଲିସ ଲାଇନ ଛକରେ ୮୦ ଗାଡି ସିଜ୍ କରି ମୋଟା ଅଙ୍କର ଜରିମାନା ଆଦାୟ କରିଛି ପୋଲିସ।

ସଟ୍‌ଡାଉନ ଅବଧି ସରି ଯାଇଥିଲେ ମଧ୍ୟ ଲକଡାଉନ ଅବଧି ରହିଛି। ତଥାପି ଅମାନିଆ ଲୋକଙ୍କୁ ସାବାଡ କରିପାରୁନି ପୋଲିସ। ଏଠାରେ ପଶ୍ଚିମବଙ୍ଗ ଲିଙ୍କ ଅଧିକ ଥିବାରୁ କରୋନା ଭୟ ରହିଛି। ତା’ଛଡ଼ା ବିଷ୍ଣୁପୁରକୁ ୨୫୦ରୁ ଅଧିକ ପଶ୍ଚିମବଙ୍ଗ ଫେରନ୍ତା ଆସିଛନ୍ତି।  କରୋନା ବ୍ୟାପିବା ଆଶଙ୍କା ଅଧିକ ଥିବାରୁ ଏଠି ସୋଶାଲ ଡିଷ୍ଟାନ୍ସର ଆବଶ୍ୟକତା ରହିଛି। ହେଲେ ଲୋକେ ମାନୁ ନ ଥିବାରୁ ପୋଲିସ ପକ୍ଷରୁ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ମନେ ହେଉଛି।

ଆହୁରି ପଢ଼ନ୍ତୁ

You might also like