ଲକଡାଉନ୍ ୨.୦ ଆହୁରି କଡ଼ାକଡ଼ି କରିଛି ପୋଲିସ, ଅମାନିଆ ବି ତାଳ ଦେଇ ଚାଲିଛନ୍ତି..

ଭୁବନେଶ୍ୱର: ମହାମାରୀର ଦ୍ୱିତୀୟ ଲହରକୁ ମାତ୍ ଦେବାକୁ ଆରମ୍ଭ ହୋଇଛି ଲକଡାଉନ୍ ୨.୦ । ଦ୍ୱିତୀୟ ପର୍ଯ୍ୟାୟ କଟକଣାର ପ୍ରଥମ ଦିନରେ ଆଜି ଚେକିଂକୁ ଆହୁରି କଡ଼ାକଡ଼ି କରାଯାଇଛି । ତଥାପି କିଛି ଅମାନିଆ ଲକଡାଉନ୍ କଟକଣାକୁ ବେଖାତିର କରି ଚାଲିଥିବା ଏବଂ ତଣ୍ଡ ବି ଗଣିଥିବା ଦେଖିବାକୁ ମିଳିଥିଲା । କେଉଁଠି ଦୋକାନ ସିଲ କରି ଦୋକାନୀକୁ ବନ୍ଧା ଯାଇଥିଲା ତ ଆଉ କେଉଁଠି ଭୋଜି ଆୟୋଜନ କରବା ଦ୍ୱାରା ଲୋକଙ୍କୁ ଜରିମାନା କରାଯାଇଥିଲା ।

ଏଥର ଲକଡାଉନରେ ପୋଲିସ୍ ପକ୍ଷରୁ ଲୋକଙ୍କୁ ଡାକବାଜି ଯନ୍ତ୍ର ଜରିଆରେ ଚେତାବନୀ ବି ଦିଆଯିବା ସହ ସଚେତନ ମଧ୍ୟ କରାଯାଉଛି । କଡ଼ା ନଜର ରଖିବାକୁ ଖୋଦ ଡିସିପି ମଧ୍ୟ ମୈଦାନକୁ ଓହ୍ଲାଇଛନ୍ତି । କରୋନା ସଂକ୍ରମଣ ଚେନରେ ବ୍ରେକ ଦେବାକୁ ସରକାର ଯେମିତି ଲକଡାଉନକୁ ରିପିଟ୍ କରିଛନ୍ତି, ଅମାନିଆ ବି ତାଳ ଦେଇ ସେମାନଙ୍କ ବଦଭ୍ୟାସ ଦୋହରାଇଛନ୍ତି । ଘରୁ ୫ଶହ ମିଟର ମଧ୍ୟରେ ଚାଲି ଚାଲି ଆସି ସାମଗ୍ରୀ କିଣିବାକୁ ସଫା ନିର୍ଦ୍ଦେଶ ଥିବା ବେଳେ ଏହାର ଅଭ୍ୟାସଗତ ଉଲ୍ଲଂଘନ ପୁଣି ଦେଖିବାକୁ ମିଳିଥିଲା ।

ତେବେ ଗତ ୧୪ ଦିନର ପ୍ରଥମ ଲକଡାଉନରେ କେବଳ ଭୁବନେଶ୍ୱରର ଅମାନିଆଙ୍କଠାରୁ ପୋଲିସ୍ ୨୦ ଲକ୍ଷ ୫୪ ହଜାର ଟଙ୍କାର ଫାଇନ୍ ଆଦାୟ କରିଥିଲା ।

ଏପଟେ ପୁରୀରେ ଲକଡାଉନ କଟକଣାକୁ ନେଇ ଦେଖାଦେଇଥିଲା ଉତ୍ତେଜନା । ପୋଲିସ୍ ଓ ଦୋକାନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ମୁହାଁମୁହିଁ ପରିସ୍ଥିିତି । ସକାଳେ ବଡ଼ଶଙ୍ଖ ନିକଟରେ କିଛି ଉଠା ଦୋକାନୀ ବସିଥିବା ବେଳେ ପୋଲିସ୍ ସେମାନଙ୍କୁ ଉଠାଇ ଦେଇଥିଲା । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ । ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ରସ୍ତାରେ ବସି ପ୍ରତିବାଦ କରିଥିଲେ ଦୋକାନୀ । ପୁରୀ ଏସପିଙ୍କ ନିର୍ଦ୍ଦେଶ ଅନୁଯାୟୀ ଅତିରିକ୍ତ ଏସପି ଘଟଣାର ତଦନ୍ତ କରୁଛନ୍ତି ।

ସେହିଭଳି ରାଉରକେଲାରେ ବି କଡ଼ାକଡ଼ି ଯାଞ୍ଚ ଚାଲିଛି । ଲକଡାଉନ୍ ନିୟମ ଖିଲାପ କରିବା ଅଭିଯୋଗରେ ଡେଲି ମାର୍କେଟ ଅଞ୍ଚଳରେ ଥିବା ଏକ ଷ୍ଟୋର୍ ଉପରେ ଆରଏମସି ଟିମ୍ ଚଢ଼ଉ କରି ବିପୁଳ ପରିମାଣର ଗୁଟକା, ପାନ ମସଲା ଓ ସିଗାରେଟ୍ ଜବତ କରିଛି । ବ୍ୟବସାୟୀ ଜଣକ ଦୁଇ ଜଣ ଗ୍ରାହକୁଙ୍କୁ ସାମଗ୍ରୀ ବିକ୍ରି କରୁଥିବା ସମୟରେ ଆରଏମସି ଅଧିକାରୀଙ୍କ ହାତରେ ଧରା ପଡିଥିଲେ । ଦୋକାନକୁ ସିଲ୍ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।

ସେହିଭଳି ଗଂଜାମ ଜିଲ୍ଲା ସେରଗଡ଼ ବ୍ଲକରେ ୪ଟି ଭୋଜି ବନ୍ଦ କରିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଛି । ତହସିଲଦାର ଓ ସ୍ଥାନୀୟ ଥାନା ଅଧିକାରୀ ଚଢାଉ କରି ପଥରପୁଞ୍ଜି ଗ୍ରାମରେ ୨ଟି ଓ ଡେଙ୍ଗାପଦରରେ ଦୁଇଟି ଭୋଜିକୁ ବନ୍ଦ କରିଥିଲେ।

You might also like