ଷଣ୍ଢକୁ ଧକ୍କା ଦେଇ ଫସିଲେ ୨ ଯୁବକ!

ସୋର: ଷଣ୍ଢକୁ ଧକ୍କା ଦେଇ ଫସିଲେ ୨ ଯୁବକ। ବାଇକ୍‌ରେ ମଦ ଚୋରା ଚାଲାଣ କରୁଥିବା ଜଣାପଡ଼ିବା ପରେ ଲୋକେ ସେମାନଙ୍କୁ ନିସ୍ତୁକ ମାଡ ମାରିବା ସହ ସେମାନଙ୍କର ବାଇକ୍‌କୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ବାଲେଶ୍ୱର ଜିଲ୍ଲାରେ ଆଜି ସକାଳେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ୩ଟି ବାଇକ୍‌ରେ ୩ଜଣ ଯୁବକ ବାଲେଶ୍ୱରରୁ ଧାମରା ଅଭିମୁଖେ ଯାଉଥିଲେ। ଏହି ସମୟରେ ସାହାସପୁର ଗାଁ ନିକଟରେ ସେମାନଙ୍କ ମଧ୍ୟରୁ ଜଣଙ୍କର ବାଇକ୍‌ ଏକ ଷଣ୍ଢ ସହ ଧକ୍କା ହୋଇଥିଲା। ଫଳରେ ସେ ତଳେ ପଡ଼ିଯାଇଥିଲା। ପରେ ବାଇକ୍‌ରେ ଆସୁଥିବା ଅନ୍ୟ ଦୁଇ  ଯୁବକ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲେ। ତେବେ ଜଣେ ଯୁବକ କୌଶଳକ୍ରମେ ଘଟଣାସ୍ଥଳରୁ ଖସି ପଳାଇଥିବା ବେଳେ ଆଉ ୨ ଜଣ ଲୋକଙ୍କ ହାତରେ ଧରାପଡି ଯାଇଥିଲେ। ଘଟଣାସ୍ଥଳରେ ଲୋକମାନେ ପହଞ୍ଚି ଯେତେବେଳେ ଜାଣିବାକୁ ପାଇଲେ ଯେ ଗାଡିରେ ମଦ ଚୋରା ଚାଲାଣ ହେଉଥିଲା, ଏହାପରେ ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

ଏହି ଘଟଣାରେ ୨ଜଣ ଯୁବକଙ୍କୁ ଅଟକ ରଖି ସୋର ଅବକାରୀ ବିଭାଗ ସେମାନଙ୍କୁ ପଚରାଉଚରା କରୁଛି। ସେମାନଙ୍କ ନିକଟରୁ ୪ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ ହୋଇଥିବା ସୂଚନା ମିଳିଛି।

You might also like