ମାଲକାନଗିରି ମୋଟୁ ଘାଟରେ ଫେରୀ ସେବା ଅଚଳ; ଛୋଟ ଡଙ୍ଗା ପାଲଟିଛି ଏକମାତ୍ର ଭରସା

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁ ଘାଟରେ ଅଚଳ ହୋଇପଡ଼ିଛି ମାଲ୍ୟବନ୍ତ ଫେରୀ ସେବା। ଫଳରେ ପ୍ରତିଦିନ ବିପଦ ସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ସାବେରୀ ନଦୀ ପାର ହେଉଛନ୍ତି ଲୋକେ। କେବଳ ଓଡ଼ିଶା ନୁହଁ ପଡୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଛତିଶଗଡ଼ର ଲୋକେ ବି ଏହି ଘାଟ ଉପରେ ନିର୍ଭର କରୁଛନ୍ତି। ତେବେ ଯାନ୍ତ୍ରିକ ସମସ୍ୟା ଯୋଗୁ ନଦୀ କୂଳରେ ଅଚଳ ହୋଇ ପଡ଼ିଛି ବୋଟ୍।

ମାଲ୍ୟବନ୍ତ ଫେରୀ ସେବା ଅଚଳ ହୋଇପଡ଼ିଥିବାରୁ ଛୋଟ ଡଙ୍ଗାରେ ଲୋକେ ଯିବାଆସିବା କରୁଛନ୍ତି। ଡଙ୍ଗାରେ ଏତେ ଯାତ୍ରୀ ଯାତ୍ରା କରୁଛନ୍ତି ଯେ ଟିକିଏ ଏପଟ ସେପଟ ହେଲେ କିଛି ବି ଅଘଟଣ ଘଟିପାରେ। କିନ୍ତୁ ଭାଗ୍ୟକୁ ଆଦରି ଲୋକେ ଯିବା ଆସିବା କରୁଛନ୍ତି। ମାଲକାନଗିରିର ମୋଟୁ ଘାଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହା ନିତିଦିନିଆ ଘଟଣା।

ସାବେରୀ ନଦୀ ପାର୍‌ ହେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୫ ଲକ୍ଷ ଟଙ୍କା ବ୍ୟୟରେ ଫେରୀ ସେବା ଆରମ୍ଭ ହୋଇଥିଲା। ହେଲେ ଏବେ ଏହା ଭାଙ୍ଗିରୁଜି ଗଲାଣି। ଫଳରେ ୮ ମାସରୁ ଅଧିକ ସମୟ ଧରି ପ୍ରତିଦିନ ବିପଦସଙ୍କୁଳ ଅବସ୍ଥାରେ ଲୋକେ ଯିବାଆସିବା କରୁଛନ୍ତି।

ଓଡ଼ିଶାରୁ ଅନ୍ୟ ରାଜ୍ୟକୁ କିମ୍ବା ପଡୋଶୀ ରାଜ୍ୟରୁ ଓଡ଼ିଶାକୁ ଯିବାଆସିବା ପାଇଁ ପ୍ରତିଦିନ ନଦୀ ପାର୍‌ ହେବାକୁ ପଡ଼େ। ଛାତ୍ରଛାତ୍ରୀଙ୍କଠୁ ଆରମ୍ଭ କରି ବ୍ୟବସାୟୀ ଯିବାଆସିବା କରଥାନ୍ତି। ତେବେ ଫେରୀ ଅଚଳ ହୋଇପଡ଼ିଥିବାରୁ ଛୋଟ ଡଙ୍ଗାରେ ଆବଶ୍ୟକତାଠାରୁ ଅଧିକ ଲୋକେ ଯାତାୟତ କରୁଛନ୍ତି।

ଏନେଇ ଜିଲ୍ଲା ପ୍ରଶାସନକୁ ବହୁବାର ଗୁହାରୀ କଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସମସ୍ୟା ସମ୍ପର୍କରେ ଅବଗତ ଥିବା କହିଛନ୍ତି ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟାକାନ୍ତ ଶତପଥୀ। ବୋଟ୍‌ରେ ଯନ୍ତ୍ରାଂଶ ତ୍ରୁଟି ରହିଛି, ମରାମତି ପରେ ଯାତାୟତ ସ୍ୱାଭାବିକ ହେବ ବୋଲି ସେ କହିଛନ୍ତି।

କେବେ ଫେରୀ ସେବା ପୁଣି ଥରେ ଆରମ୍ଭ ହେଉଛି। ଆଉ ଲୋକେ ସୁରକ୍ଷିତ ଯାତ୍ରା କରୁଛନ୍ତି ତାହା ଆଗାମୀ ସମୟରେ ଜଣାପଡ଼ିବ।

You might also like