ଦୁଇ ଇଟାଲୀ ପର୍ଯ୍ୟଟକଙ୍କୁ ଏବେ ବି ଝୁରୁଛନ୍ତି ଗ୍ରାମବାସୀ: ହେଲେ କାହିଁକି?

ବାଲିଗୁଡା:(ଅଜିତ୍ କୁମାର ନାୟକ) ୨୦୧୨ରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳକୁ ବୁଲି ଆସିଥିବା ବେଳେ ଦୁଇ ଇଟାଲୀୟ ପର୍ଯ୍ୟଟକ ପାଉଲୋ ବାସୁସ୍କୋ ଓ କ୍ଲାଉଡିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ। ସେତେବେଳେ ଏହି ଘଟଣା ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା। ପରେ ସୁରକ୍ଷିତ ଭାବେ ମୁକ୍ତ ହେବା ପରେ ସ୍ୱଦେଶ ଫେରିଯାଇଥିଲେ ଦୁଇ ଜଣ। ତେବେ ଅପହରଣ ପୂର୍ବରୁ ଲାମ୍ବାବାନ୍ଦାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ସେମାନେ ଗାଁରେ ଅନେକ ବିକାଶ ମୂଳକ କାର୍ଯ୍ୟ କରିଥିଲେ। ଆଉ ଏଥିପାଇଁ ଏହି ଦୁଇ ବିଦେଶୀଙ୍କୁ ଏବେ ବି ଝୁରୁଛନ୍ତି ଲାମ୍ବାବାନ୍ଦା ଗାଁ ଲୋକେ।

କୂଅରେ ଲାଗିଥିବା ମାର୍ବଲ ଫଳକକୁ ଦେଖିଲେ ଆପଣ ବି ସବୁକଥା ଜାଣିପାରିବେ ଓ ବୁଝିପାରିବେ। ଏଥିରେ ଲେଖାଯାଇଛି ଇଟାଲୀୟ ପର୍ଯ୍ୟଟକ ଓ ପାଉଲୋ ବୋସୁସ୍କୋ ଏବଂ କ୍ଲାଉଡିଓ କୋଲାଞ୍ଜେଲୋଙ୍କ ନାଁ। ସେମାନଙ୍କ ଦେଶ ଇଟାଲିରେ ନୁହେଁ ବରଂ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଲାମ୍ବାବାନ୍ଦା ଗାଁରେ ଲାଗିଛି ଏହି ଫଳକ। ଦୁଇ ବିଦେଶୀ ପର୍ଯ୍ୟଟକଙ୍କ ଆର୍ଥିକ ସହାୟତାରେ ଖୋଳାଯାଇଛି ଗାଁରେ ଥିବା ଗୋଟିଏ ସ୍ୱତନ୍ତ୍ର କୂଅ। ଆଉ ଏହା ଦ୍ୱାରା ଲାମ୍ବାବାନ୍ଦା ଗାଁ ଲୋକଙ୍କ ପିଇବା ପାଣିର ସମସ୍ୟା ଏବେ ଦୂର ହୋଇଛ।

୨୦୧୨ ମାର୍ଚ୍ଚ ୧୪ରେ ମାଓବାଦୀଙ୍କ ଦ୍ୱାରା ଅପହୃତ ହେବା ପୂର୍ବରୁ ପାଉଲୋ ପ୍ରତିବର୍ଷ ଲାମ୍ବାବାନ୍ଦା ଜଙ୍ଗଲ ବୁଲିବାକୁ ଆସୁଥିଲେ। ଆଉ ଏହି ସମୟରେ ଲାମ୍ବାବାନ୍ଦା ଗାଁ ଲୋକଙ୍କ ପିଇବା ପାଣିର ସମସ୍ୟା ଦେଖି ବିଚଳିତ ହୋଇଥିଲେ। ଆଉ ମାଓବାଦୀଙ୍କ କବଳରୁ ମୁକ୍ତ ହେବା ପରେ ସେ ଗାଁଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି। ଯେଉଁଥିପାଇଁ ଆଜି ବି ଅଞ୍ଚଳବାସୀ ତାଙ୍କୁ ଝୁରିହେଉଛନ୍ତି।

ପିଇବା ପାଣି ସହ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟାରେ ମଧ୍ୟ ସହାୟତା ପ୍ରଦାନ କରିଛନ୍ତି ଏହି ଦୁଇ ପର୍ଯ୍ୟଟକ। ଜଣେ ଦିବ୍ୟାଙ୍ଗ ଯୁବକ ସଲମନ ପ୍ରଧାନ ଏହି ଗାଁରେ ରହୁଛନ୍ତି ଯାହାଙ୍କ ସହ ପାଓଲୋ ବୋସୁସ୍କୋଙ୍କ ଦୀର୍ଘ ଦିନର ବନ୍ଧୁତା ରହିଥିଲା। ଯେତେବେଳେ ପାଓଲୋ ଦାରିଙ୍ଗବାଡି ଅଂଚଳକୁ ଆସୁଥିଲେ ସେତେବେଳେ ସଲମନଙ୍କୁ ଭେଟିବାକୁ ଆଦୌ ଭୁଲୁନଥିଲେ। ବିଶାଖାପାଟଣା ନେଇ ତାଙ୍କର ଚିକିତ୍ସା ମଧ୍ୟ କରାଇଥିଲେ ଇଟାଲୀ ପର୍ଯ୍ୟଟକ । ଏମିତି କି ସଲମାନ ଚଲାବୁଲା କରିପାରୁନଥିବା ଯୋଗୁଁ ଘର ପାଖରେ କୂଅ ଖୋଳି ଦେଇଥିଲେ। ଏମିତି ଅନେକ ସହାୟତା ପାଇଥିବା ଯୋଗୁଁ ସଲମାନଙ୍କ ସମେତ ସେମାନଙ୍କ ପରିବାର ଉଭୟ ଇଟାଲି ପର୍ଯ୍ୟଟକଙ୍କୁ ଏବେ ମନେପକାଉଛନ୍ତି।

ମାଓବାଦୀଙ୍କ କବଳରୁ ଉଭୟ ପର୍ଯ୍ୟଟକ ସୁରକ୍ଷିତ ଭାବେ ମୁକ୍ତ ହୋଇ ନିଜ ଦେଶକୁ ଫେରିଯାଇଥିଲେ ହେଁ ସେମାନଙ୍କ ସହାୟତାକୁ ଭୁଲିପାରୁନାହାନ୍ତି ଲାମ୍ବାବାନ୍ଦା ଗାଁ ଲୋକେ।

You might also like