ଦୁର୍ଘଟଣାର ଦିନକ ପରେ ବି ଉଠି ପାରୁନି ମୃତଦେହ
ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦାବିରେ ଅଟଳ ଉତ୍ୟକ୍ତ ଜନତା
ସୁନ୍ଦରଗଡ଼ : ଦୁର୍ଘଟଣାର ଦିନକ ପରେ ବି ଉଠି ପାରୁନି ମୃତଦେହ। ଦୁଇଟି ମୃତଦେହକୁ ଅଟକ ରଖିଛନ୍ତି ଲୋକେ । ସୁନ୍ଦରଗଡ଼ ତଳସରାରେ ଏଭଳି କିଛି ଘଟଣା ଘଟିଛି । ଗତକାଲି ଦୁଇ ବାଇକ୍ ଆରୋହୀଙ୍କୁ ଏକ ବୁଲେରୋ ଧକ୍କା ଦେଇଥିଲା । ଫଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ତେବେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।
ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଦାବି କରି ଅଡ଼ି ବସିଛନ୍ତି ଲୋକେ । ଘଟଣାସ୍ଥଳରେ ସ୍ଥାନୀୟ ଏସପିଓ, ଗୋଟିଏ ପ୍ଲାଟୁନ୍ ପୋଲିସ୍ ଫୋସ୍ ମୁତୟନ ରହିଛନ୍ତି । ପ୍ରଶାସନିକ ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ତେବେ ଏହି ଅଞ୍ଚଳରେ ଗୋରୁ ଗାଡ଼ି ଗୁଡ଼ିକ ସୀମାନ୍ତ ଝାଡ଼ଖଣ୍ଡକୁ ଦ୍ରୁତ ଗତିରେ ଯାଉଥିବାରୁ ବାରମ୍ବାର ଦୁର୍ଘଟଣା ବଢ଼ୁଥିବା ଅଭିଯୋଗ ହେଉଛି । ତେଣୁ ଏଦିଗରେ ସ୍ଥାୟୀ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି ।
#Sundargarh: Locals at Tangara village in Talsara refuse to perform last rites of 2 persons, who were killed in an accident on Wednesday, demanding Rs 10L compensation to the next of kins of the deceased to release the bodies. Talks with local Tehsildar & BDO has failed. #Odisha
— OTV (@otvnews) January 14, 2021
ସେପଟେ ଭାରସାମ୍ୟ ହରାଇ କାମାକ୍ଷାନଗରରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ରାମିଆଳ ବ୍ରିଜ ନିକଟରେ ଶ୍ରୀ ରାମଜୀ ନାମକ ଯାତ୍ରୀବାହୀ ବସ ଓଲଟି ପଡ଼ିଛି । ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୨୫ ଜଣ ଯାତ୍ରୀ । ଏହି ଯାତ୍ରୀବାହୀ ବସଟି ରାଉରକେଲାରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଆଳତୁମା ନିକଟରେ ଏନଏଚ-୫୩ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଏକ ହାଇୱା ଟ୍ରକ, ବସ ସାମ୍ନାକୁ ଚାଲି ଆସିବାରୁ ବସଟି ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣା ପରେ ବସରେ ଥିବା ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ବସରୁ ଉଦ୍ଧାର କରାଯାଇଥିଲା । ୫୩ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଠିକା ସଂସ୍ଥା ମାନଙ୍କ ଦ୍ୱାରା ନିୟୋଜିତ ହାଇୱା ଟ୍ରକ ଗୁଡ଼ିକର ବେପାରୁଆ ଗାଡି ଚାଳନା ଯୋଗୁଁ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି । ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।