ଯୁବତୀଙ୍କୁ ବାହାର ରାଜ୍ୟରେ ବିକ୍ରି ଅଭିଯୋଗ; ଯାତ୍ରା ପାର୍ଟି ମାଲିକାଣୀ ଅଟକ

ନୀଳଗିରି(ବିଶ୍ୱମ୍ବର ଦାସ): ଯୁବତୀଙ୍କୁ ବାହାର ରାଜ୍ୟକୁ ବିକ୍ରି କରିବା ଅଭିଯୋଗରେ ଯାତ୍ରା ପାର୍ଟି ମାଲିକାଣୀଙ୍କୁ ଅଟକ ରଖିଲେ ଗ୍ରାମବାସୀ। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଦାସରଥୀପୁର ଗାଁରେ ପଡ଼ିଥିବା ଏହି ଯାତ୍ରା ପାର୍ଟିର ମାଲିକାଣୀଙ୍କୁ ଗ୍ରାମବାସୀମାନେ ଅଟକ ରଖିଥିବା ଜଣାପଡ଼ିଛି। 

ଅଭିଯୋଗ ଅନୁସାରେ, ରାଉଳଖୁଣ୍ଟା ଗାଁର ଜଣେ ଯୁବତୀ ଲକ୍‌ଡାଉନ୍‌ ପରେ ଏକ ଯାତ୍ରା ପାର୍ଟିର ମାଲିକାଣୀଙ୍କ ଜରିଆରେ ବିହାରକୁ ଡାନ୍ସର ଭାବେ ଯାଇଥିଲେ। ହେଲେ ତାଙ୍କୁ ସେଠାରେ ଯାତ୍ରା ପାର୍ଟିର ମାଲିକାଣୀ ବିକ୍ରି କରି ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ସମ୍ପୃକ୍ତ ଯୁବତୀ ଜଣକ ସେଠାରୁ କୌଶଳ କ୍ରମେ ଖସି ଆସି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଘଟଣା ପରେ ସମ୍ପୃକ୍ତ ଯାତ୍ରା ପାର୍ଟିର ମାଲିକାଣୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ହେଲେ ତାଙ୍କ ସହ କୌଣସି ଯୋଗାଯୋଗ ସ୍ଥାପନ ହୋଇପାରି ନଥିଲା।

ଗତକାଲି ରାତିରେ ଦାସରଥିପୁର ଗାଁରେ ଉକ୍ତ ଯାତ୍ରା ପାର୍ଟି ପଡ଼ିଥିବା ଖବର ପାଇ ସମ୍ପୃକ୍ତ ଯୁବତୀ ଓ ପରିବାର ଲୋକ ଗାଁ ଲୋକଙ୍କ ସହ ଆସି ସେଠାରେ ପହଞ୍ଚି ଯାଇଥିଲେ। ଆଜି ସକାଳେ ଯାତ୍ରା ପାର୍ଟି ଗାଡ଼ି ଓ ଏହାର ମାଲିକାଣୀ ଗାଁରୁ ବାହାରିବା ବେଳେ ରାସ୍ତାରେ କିଛି ଲୋକେ ଗାଡ଼ି ଓ ମାଲିକାଣୀକୁ ଛାଡ଼ି ନଥିଲେ। ଯାତ୍ରା ପାର୍ଟି ମାଲିକାଣୀଙ୍କୁ ଗାଁ ଲୋକ ଅଟକ ରଖିଥିବା ସୂଚନା ମିଳିଛି।

You might also like