ଭୁବନେଶ୍ୱର : ଭତ୍ତା ଟଙ୍କା ଚଳୁ କରିନେଲେ ସରକାରୀ ବାବୁ। ବିଧବା, ବୃଦ୍ଧ, ଭିନ୍ନକ୍ଷମ କେହି ବି ବାଦ୍ ପଡିଲେନି। ଗୋଟିଏ ବର୍ଷର ହିସାବ ରାଜ୍ୟ ସରକାରଙ୍କ ସ୍ୱଚ୍ଛତାର ମୁଖା ଖୋଲିଛି।
୨୦୧୭- ୧୮ ବର୍ଷ ପାଇଁ ହୋଇଥିବା ଲୋକାଲ୍ ଫଣ୍ଡ ଅଡିଟ୍ର ରିପୋର୍ଟ ଉପରେ ନଜର ପକାଇଲେ ଜଣାପଡ଼େ ବ୍ଲକ୍ ସ୍ତରରେ ଭତ୍ତା ଟଙ୍କା ହଡ଼ପ ହୋଇଛି। ବ୍ଲକସ୍ତରରେ ଭତ୍ତା ଟଙ୍କା ହଡ଼ପ ହୋଇଥିବାର ଏ ତଥ୍ୟରୁ ଜଣାପଡ଼େ।୨୦୧୬-୧୭ ମସିହାରେ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା ଓ ମଧିୁବାବୁ ପେନସନ ବାଣ୍ଟିବା ଦାୟିତ୍ୱରେ ଥିବା ଅଧିକାରୀ ୨୦ଟି ବ୍ଲକ୍ରେ ଟଙ୍କା ଆତ୍ମସାତ କରିଛନ୍ତି।
୪୨ ଲକ୍ଷ ୬୦ ହଜାର ଟଙ୍କା ୧୦ ଲକ୍ଷ ୮୦ ହଜାର ଟଙ୍କା ହଡ଼ପ ସହ ଆଗରେ ରହିଛି ଲୋଇସିଙ୍ଗା ବ୍ଳକ୍। ଏହାବାଦ୍ ବାସ୍ତବିକ୍ ବଣ୍ଟନ ଠାରୁ ଅଧିକ ଟଙ୍କା ବଣ୍ଟା ଯାଇଥିବା ଦର୍ଶାଇ ୭୧ ଟି ବ୍ଲକ୍ରେ ଅଧିକାରୀ ଚଳୁ କରିଛନ୍ତି ୨୯ ଲକ୍ଷ।
ସେହିପରି ୮୫୪ଟି ପଞ୍ଚାୟତରେ ବଣ୍ଟନ ଟଙ୍କାରୁ ଅଧିକ ବ୍ୟୟ ଦର୍ଶାଇ ୧ କୋଟି ୫ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଛି। ୫୪ଟି ପଞ୍ଚାୟତରେ ପଞ୍ଚାୟତ ଅଧିକାରୀ ନିଜ ପାଖରେ ୫୪ ଲକ୍ଷ ୧୮ ହଜାର ରଖି ଆତ୍ମସାତ କରିଛନ୍ତି। ସେହିପରି ୧୬-୧୭ ବର୍ଷରେ ଆଦାୟ ଅର୍ଥ ଜମା ନ କରିବା ଓ ଦୁଇ ଥର ଅର୍ଥ ପ୍ରଦାନ କରିବା ଆଳରେ ହଡ଼ପ ହୋଇଛି ୮୧ ଲକ୍ଷ ଟଙ୍କା ଭତ୍ତା ଟଙ୍କା। ଆତ୍ମସାତ ଓ ହଡ଼ପର ଏ ତଥ୍ୟକୁ ନେଇ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ। କେବଳ ଟଙ୍କା ଚଳୁ ନୁହେଁ ବ୍ଲକ୍ ଓ ପଞ୍ଚାୟତରେ ଖର୍ଚ୍ଚ ନ ହୋଇ ପଡି ରହିଛି ଶହ ଶହ କୋଟି ଟଙ୍କା। ୨୦୧୬-୧୭ ମସିହାରେ ବିଭିନ୍ନ ଯୋଜନାରେ ମୋଟ୍ ୧୨ ହଜାର ୮୨୬ କୋଟି ଆସିଥିବା ବେଳେ ଖର୍ଚ୍ଚ ନହୋଇ ପଡ଼ିରହିଛି ୬ ହଜାର ୧୫୦ କୋଟି।
ବଡ଼କଥା ହେଉଛି ସେହି ବର୍ଷ ୧୩ ହଜାର ୨୯୫ କୋଟିର ୟୁସି ବା ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇନାହିଁ। ଟଙ୍କା ଖର୍ଚ୍ଚ ନ ହେବାରେ ପଞ୍ଚାୟତ ଚିତ୍ର ବି ଅଧିକ ସଙ୍ଗୀନ। ଏହି ବର୍ଷ ୪ ହଜାର ୮୧୫ ପଞ୍ଚାୟତକୁ ଆସିଥିବା ୪ ହଜାର ୩୫୫ କୋଟିରୁ ୧୭୪୪ କୋଟି ଖର୍ଚ୍ଚ ହୋଇପାରିନାହିଁ। ସେହିପରି ୧୮୩୫ କୋଟିର ୟୁସି ଦିଆଯାଇପାରିନି।