ମଣ୍ଡିରେ ପଶିଛନ୍ତି ଛଦ୍ମବେଶୀ ଚାଷୀ !

ସମ୍ବଲପୁର: ଜିଲ୍ଲା ଝାଙ୍କରପାଲି ପଞ୍ଚାୟତ ମଣ୍ଡିରେ ଚାଷୀଙ୍କ ଧାନ ପଡ଼ି ରହିବା ଘଟଣାରେ ନୂଆମୋଡ଼ ନେଇଛି।  ମଣ୍ଡି ଆଗରେ ୫ ଦିନ ହେଲା ହଜାର ହଜାର ବସ୍ତା ଧାନ ପଡ଼ିରହିଥିବା ବେଳେ ସ୍ଥାନୀୟ ଚାଷୀ ଓ ବିକ୍ରେତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଛି। ସେଠାକୁ ଧାନ ବିକିବାକୁ ଆସିଥିବା ଲୋକମାନେ ପ୍ରକୃତ ଚାଷୀ ନୁହନ୍ତି, ବରଂ ଧାନ ବେପାରୀ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ।

କେବଳ ଯେ ମଣ୍ଡିରେ ଧାନ ବସ୍ତା ପଡ଼ି ରହିଛି ତାହା ନୁହଁ ଟ୍ରକ୍, ଟ୍ରାକ୍ଟର ଓ ୪ ଚକିଆକୁ ମିଶାଇ ୧୨ଟି ଧାନ ବୋଝେଇ ଗାଡ଼ି ମଧ୍ୟ ଅଟକି ରହିଛି। ଏହିସବୁ ଗାଡ଼ି ଅଟକ ରଖିଛନ୍ତି ସ୍ଥାନୀୟ ଚାଷୀ। ବିକ୍ରିପାଇଁ ଆସିଥିବା ଏହି ଧାନ ପ୍ରକୃତ ଚାଷୀଙ୍କର ନୁହେଁ, ବରଂ ବେପାରୀ ଓ ଦଲାଲ୍‌ଙ୍କ ଧାନ ବୋଲି ଅଭିଯୋଗ କରିବା ସେମାନେ ଗାଡ଼ିଗୁଡ଼ିକୁ ଅଟକ ରଖିଛନ୍ତି।

ଏହି ଛଦ୍ମ ଚାଷୀମାନେ ପଡ଼ୋଶୀ ଝାରସୁଗୁଡ଼ା ଓ ଅନ୍ୟାନ୍ୟ ଅଞ୍ଚଳରୁ କମ୍ ଦାମ୍‌ରେ ଧାନ କିଣି, ମୁନାଫା କମାଇବା ପାଇଁ ସରକାରୀ ମଣ୍ଡିରେ ବିକୁଛନ୍ତି। ଝାଙ୍କରପାଲି ମଣ୍ଡି ଗତ ୧୨ ତାରିଖରେ ବନ୍ଦ ହୋଇସାରିଛି।

ତେଣୁ ପ୍ରଶ୍ନ ଉଠିଛି, ପ୍ରାୟ ଦେଢ଼ ମାସ ସମୟ ଭିତରେ ସେମାନେ ଧାନ ବିକିପାରିଲେ ନାହିଁ କିପରି? କ୍ରପ୍ କଟିଂ ରିପୋର୍ଟ ଅନୁସାରେ ପଞ୍ଚାୟତରେ ୫୬ ପ୍ରତିଶତ ମରୁଡ଼ି ହୋଇଥିବା ବେଳେ ସେମାନେ ଏତେ ଧାନ ଣିଲେ କେଉଁଠୁ?

ଏନେଇ କତରବଗା ସେବା ସମବାୟ ସମିତି ସଭାପତିଙ୍କୁ ମଧ୍ୟ ସ୍ଥାନୀୟ ଚାଷୀମାନେ ଚିଠି ଲେଖିଛନ୍ତି।

ଅନ୍ୟପକ୍ଷରେ ଧାନ ବିକିବାକୁ ଆସିଥିବା ଲୋକମାନେ ନିଜକୁ ପ୍ରକୃତ ଚାଷୀ ବୋଲି ଦାବି କରିବା ସହ ବର୍ଷା ଓ ବିଭିନ୍ନ ବ୍ୟକ୍ତିଗତ ସମସ୍ୟା କାରଣରୁ ଧାନ ଆଣିବାରେ ବିଳମ୍ବ ହୋଇଥିବା କହିଛନ୍ତି। ଏଥିସହ ମଣ୍ଡିରେ ଧାନ ବିକ୍ରି ପାଇଁ ସେମାନେ ଜିଲ୍ଲାପାଳଙ୍କୁ ଭେଟି ଅନୁମତି ଆଣିଥିବା ମଧ୍ୟ ଦାବି କରିଛନ୍ତି। ତେବେ କୌଣସି ଲିଖିତ ଅନୁମତି ପତ୍ର ନଥିବାରୁ ଧାନ ଗାଡ଼ି ଅଟକାଇ ରଖିଛନ୍ତି ସ୍ଥାନୀୟ ଲୋକେ।

ଅନ୍ୟପକ୍ଷରେ ଜିଲ୍ଲାପାଳ କହିଛନ୍ତି, ଘଟଣା ସମ୍ପର୍କରେ ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି। ଉପଜିଲ୍ଲାପାଳଙ୍କ ତଦନ୍ତ ପରେ ହିଁ ଧାନ ବିକ୍ରି ହୋଇପାରିବ। ଛଦ୍ମଚାଷୀ ପ୍ରସଙ୍ଗରେ ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ଚାଷୀ ଯେଉଁମାନେ ଅଛନ୍ତି ସେମାନେ ତାଙ୍କ ଜମି ପଟା ଦେଖାଇଲେ ଯାଇ ତାଙ୍କ ନାଁ ମେମ୍ବର ହିସାବରେ ରେଜିଷ୍ଟେସନ୍‌ ହେବ। ଆଉ ଯାହାର ଯେତେ ଜମି ଅଛି ସେଇ ଜମିର ହିସାବ ଅନୁସାରେ ତା’ଠୁ ଧାନ ଆଦାୟ ହେବ। ତେବେ ଘଟଣାର ପ୍ରକୃତ ସତ କ’ଣ ତାହା ଜାଣିବା ପାଇଁ ଏବେ ଉପଜିଲ୍ଲାପାଳଙ୍କ ତଦନ୍ତକୁ ଅପେକ୍ଷା।

You might also like