କରୋନା ପାଇଁ କୁମ୍ପି ଖୋଲି ଦେଲା କୁନି ଝିଅ

ଆସିକା: ଛୋଟ ସିନା ଦାନ ତା ମହାନ୍‌। ଯାହା ବଡମାନେ କରିପାରୁ ନାହାନ୍ତି ତାହା ୧୦ ବର୍ଷ କୁନି ଝିଅଟିଏ କରିପାରୁଛି।  କରୋନା ମୁକାବିଲା ପାଇଁ ସଞ୍ଚି ସଞ୍ଚି ରଖିଥିବା ଅର୍ଥ କରୋନା ମୁକାବିଲା ପାଇଁ ଦାନ କରି ଦେଇଛି। ଏଇ କୁନି ଝିଅଟି ହେଉଛି ଗଞ୍ଜାମ ଧରାକୋଟ ଅଞ୍ଚଳର ଅସ୍‌ମାନ ପ୍ରଧାନ।

କରୋନା ପାଇଁ ସାରା ଦେଶ ଲକ୍‌ ଡାଉନ୍‌। ସମସ୍ତେ ନିଜ ନିଜ ଘରେ । ବିଶେଷ କରି ଘରେ ରହୁଥିବା ଛୋଟ ପିଲାମାନେ ଲକ୍‌ ଡାଉନ କଷ୍ଟ ବେଶି ଭୋଗୁଛନ୍ତି। ଘରୁ ବାହାରି ପାରୁ ନାହାନ୍ତି। ଘରେ ରହି ସେମାନେ ବୁଝି ପାରୁଛନ୍ତି କରୋନାର ଭୟାବହତା। ତେଣୁ କରୋନାକୁ ତୁରନ୍ତ ହଟାଇବା ପାଇଁ ଯେମିତି ଆଗେଇ ଆସିଛି ଏଇ କୁନିଝିଅ ଅସ୍‌ମାନ।

୪ ବର୍ଷ ଧରି ନିଜ କୁମ୍ପିରେ ସଞ୍ଚି ଚାଲିଥିଲା ଟଙ୍କା। ଟଙ୍କା ନୁହେଁ ତ ତା’ର ସଞ୍ଚିତ ସ୍ୱପ୍ନ। ହେଲେ କରୋନା ସହ ଲଢିବା ପାଇଁ ତାର ଏହି ସଞ୍ଚିତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦେବା ପାଇଁ ନିଷ୍ପତ୍ତି ନେଇଥିଲା। ଏ ବିଷୟରେ ସେ ମା’ଙ୍କୁ କହିଥିଲା। ମା’ ମଧ୍ୟ ଝିଅ କଥାରେ ପ୍ରଭାବିତ ହୋଇ ଏହି ପ୍ରସ୍ତାବରେ ରାଜି ହୋଇଥିଲେ। ପୂରା ପରିବାର ଧରାକୋଟ ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇ ଚେକ୍‌ ସହ ସାନିଟାଇଜର ଓ ମାସ୍କ ପ୍ରଦାନ କରିଛନ୍ତି।

You might also like