ଇଞ୍ଜିନିୟର ବୋହୂ ମଦ ବେପାରୀ

ଭଦ୍ରକ: ଶିକ୍ଷିତଙ୍କ ଘରେ ମଦ ଵେପାର। ଶାଶୁ ଗୃହିଣୀ, ବୋହୂ ସିଭିଲ ଇଞ୍ଜିନିୟର। ଦୁଇ ପୁଅ ମଧ୍ୟ ଶିକ୍ଷିତ। କିନ୍ତୁ ତିଆରି କରି ବିକୁଥିଲେ ଦେଶୀ ମଦ। ମାଡି ବସିଲା ଗ୍ରାମାଞ୍ଚଳ ପୋଲିସ। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ପୋଲିସ ଏହି ଶିକ୍ଷିତ ମଦ ଗୋଷ୍ଠୀକୁ ବାନ୍ଧିଛି। ଭଦ୍ରକ ଜିଲ୍ଲା ଘୁଷୁରୀପୋଖରୀ ଗାଁରେ ପୋଲିସ ଚଢ଼ାଉ କରିଛି। ଚଢ଼ାଉ ବେଳେ ଆଲାଦୀ ସିଂଙ୍କ ଘର ପଛ ପଟେ ଦେଶୀ ମଦ ରାନ୍ଧି ବିକ୍ରି କରୁଥିଲେ। ପୋଲିସ ଖବର ପାଇ ଚଢ଼ାଉ କରିଥିଲା।

ଚଢ଼ାଉ ବେଳେ ଦୁଇ ପୁଅ ଖସି ଯାଇଥିବା ବେଳେ ବୋହୂ ସରସ୍ୱତୀ ସିଂ ଯିଏ କି ଜଣେ ସିଭିଲ ଇଞ୍ଜିନିୟର ତାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଘଟଣାସ୍ଥଳରୁ ଏକ ହଜାର ଲିଟରରୁ ଅଧିକ ଦେଶୀ ମଦ ସହ ପୋଚ ଜବତ ହୋଇଛି। ମଦ ରାନ୍ଧିବା ପାଇଁ ବ୍ୟବହୃତ ଉପକରଣ ସହ ନଗଦ ୧ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି। ଗୋଟିଏ କାର ସହ ସ୍କୁଟିକୁ ମଧ୍ୟ ଜବତ କରିଛି ପୋଲିସ। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏହି ଶିକ୍ଷିତଙ୍କ ମଦ ବେପାର।

ଭଦ୍ରକ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ସ୍ଥାନରେ ମଦ ବେପାର ଓ ବେଆଇନ୍ ମଦ ଚାଲାଣ କରାଯାଉଛି, ସେମାନଙ୍କୁ ଧରାଯାଉଛି। ତେବେ ଏକ ଗାଁରେ ବିପୁଳ ପରିମାଣ ବେଆଇନ୍ ମଦ ବିକ୍ରି ହେଉଥିବାର ଖବର ଆସିଥିଲା। ଭଦ୍ରକ ଗ୍ରାମାଞ୍ଚଳ ତାନାଧିକାରୀଙ୍କ ନେତୃତ୍ୱରେ ସେଟାରେ ଚଢଉ କରାଯାଇଥିଲା। ଘୁଷୁରୀପୋଖରୀ ଗାଁରେ ପହଞ୍ଚି ପାଖାପାଖି ୧୨ଶହ ଲିଟର ଦେଶୀ ମଦ, ଗୋଟିଏ କାର, ୧ ଲକ୍ଷ ଟଙ୍କା ଜବତ ହୋଇଛି। ଏନେଇ ୨ ଜଣ ମହିଳାଙ୍କୁ ଗିରଫ କରାଯାଇଛି। ତଦନ୍ତ ଚାଲୁ ରହିଛି। ସେମାନେ କେଉଁ ଠାରୁ ଏହି ସାମଗ୍ରୀ ଆଣୁଥିଲେ ତାହା ତଦନ୍ତ ପରେ ହିଁ ଜଣାପଡ଼ିବ। 
-ସାର୍ଥକ ରାୟ, ଏସ୍‌ଡିପିଓ
You might also like