ମଦ ପୋଛି ଦେଉଛି ମଥାର ସିନ୍ଦୂର : ବିଧବାଙ୍କ ଗାଁ ପାଲଟୁଛି ମାଧପୁର

ମଦ ପାଇଁ ବଦଳିଗଲା ବୌଦ୍ଧ ମାଧପୁର ଗାଁର ଚିତ୍ର

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ) : ମଦ ପୋଛି ଦେଉଛି ମଥାର ସିନ୍ଦୁର । ବିଧବା ହୋଇଯାଉଛନ୍ତି ଗାଁର ମହିଳା।  “ମଦ୍ୟ ପାନ ସ୍ୱାସ୍ଥ୍ୟ ପକ୍ଷେ ହାନି କାରକ। ଏହି ଉକ୍ତି ସମ୍ପର୍କର ସମସ୍ତେ ଅବଗତ । କିନ୍ତୁ ବୌଦ୍ଧ ଜିଲ୍ଲାର ମାଧପୁର ଗ୍ରାମକୁ ଦେଖିଲେ ଜଣାପଡେ ଏ ଗାଁର ଲୋକେ ସତେକି ସବୁ ଜାଣିକି ଅଜଣା । ମଦ ଯୋଗୁଁ ଗାଁରେ ଅନେକ ଲୋକଙ୍କ ଜୀବନ ଯାଇଥିବା ଗାଁ ଏବେ ପୁରୁଷଶୂନ୍ୟ ହେବାକୁ ବସିଛି। ଏବେ ‘’ବିଧବାଙ୍କ ଗାଁ ପାଲଟୁଛି ମାଧପୁର’’।

ବୌଦ୍ଧ ଜିଲ୍ଲାର ସଦରମହକୁମା ୫୭ ନମ୍ବର ଜାତୀୟ ରାଜପଥରେ ୫୫ କି.ମି. ଗଲେ ପଡ଼େ ମାଧପୁର ଗ୍ରାମ । ଗ୍ରାମରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମଦ୍ୟପଙ୍କ ସଂଖ୍ୟା । କେବଳ ମଦ୍ୟପଙ୍କ ସଂଖ୍ୟା ନୁହେଁ ତାହା ସହିତ ବୃଦ୍ଧି ପାଉଛି ବିଧବାଙ୍କ ସଂଖ୍ୟା । ପ୍ରାୟ ଶହେ ପ୍ରତିଶତ ମହିଳା ମଧ୍ୟରୁ ୭୦ ପ୍ରତିଶତ ମହିଳା ଏଠି ବିଧବା । ପୁରୁଷ ଶୂନ୍ୟ ହେବାରେ ଲାଗିଛି ପୂରା ଗାଁ । କାହାର ମା’ ତା’ର ଭେଣ୍ଡିଆ ପୁଅ କୁ ହରେଇଛି ଆଉ ପାଦରୁ ବାହାଘରର ଅଳତା ନ ଲିଭୁଣୁ ନବ ବିବାହିତା ହରେଇଛି ତା ସ୍ୱାମୀକୁ  । ଅନ୍ୟପଟେ ଗାଁରେ ସବୁ ସମୟରେ ଘରୋଇ କଳହ ଓ ମହିଳାଙ୍କ ଉପରେ ହଂସା  ଲାଗି ରହିଥିବା ମହିଳାମାନେ ଅଭିଯୋଗ କରିଛନ୍ତି ।

ମାଧପୁର ଗାଁର ଜଣ ବିଧବା ମହିଳା ହେଲେ କମଳା  ପ୍ରଧାନ। ମଦ ପିଇ ସ୍ୱାମୀଙ୍କ ମରିବାର ୧୨ ବର୍ଷ ହେଲାଣି। ଫଳରେ ପରିବାର ଚଳାଇବା ପାଇଁ ସେ ଏବେ ପାନ ଓ ଚା ଦୋକାନ କରି ପରିବାର ଚଳାଇଛନ୍ତି। କେବଳ କମଳା ନୁହଁନ୍ତି ଗାଁର ଅନେକ ମହିଳା ଏବେ ଏମିତି  ବିଧବା ହୋଇଛନ୍ତି।

ଗାଁରେ ଦେଶି ମଦ ବିକ୍ରି ଯୋଗୁଁ  ଧିରେ ଧିରେ ମଦ ମୃତ୍ୟୁ ସଂଖ୍ୟା ବଢୁଛି ବୋଲି ଗ୍ରାମର ମହିଳା ମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅଳ୍ପ ବୟସରୁ ପୁରୁଷମାନଙ୍କ ମୃତ୍ୟୁ ପରେ ମହିଳା ମାନେ ଜଳଖିଆ ଦୋକାନ କିମ୍ବା ମୂଲ ଲାଗି ନିଜର ପରିବାର ଚଳାଉଛନ୍ତି ।

ଅବକାରୀ ରାଜସ୍ୱ ପାଇଁ  ଗାଁ ଗାଁରେ ମଦଭାଟି ଖୋଲୁଛି, ଆଉ ଏଥିପାଇଁ ସରକାର ଅନୁମତି ଦେଉଛନ୍ତି। ହେଲେ ଏଥିରେ ଅସୁବିଧାର ଭୋଗୁଛନ୍ତି ସାଧାରଣ ଲୋକେ। ମଦ ମୃତ୍ୟୁ ପାଇଁ ପରିବାର ଉଜୁଡି ଯାଇଛି । ଆଉ ମଦଭାଟି ଉଚ୍ଛେଦ ପାଇଁ ବାରମ୍ବାର ଆନ୍ଦୋଳନ ସତ୍ୱେ କେହି ଶୁଣୁ ନାହାନ୍ତି ।

ସେପଟେ ଗାଁର ଏପରି ସ୍ଥିତି ନେଇ ହରଭଙ୍ଗା ବ୍ଲକ ପ୍ରଶାସନ ଭେଟି ଅଭିଯୋଗ କରାଯାଇଥିଲା । ତେବେ ଏ ସମ୍ପର୍କରେ ଗାଁ କୁ ଯାଇ ଅନୁଧ୍ୟାନ କଲାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଡିଓ । ଗାଁରେ ଦିନକୁ ଦିନ ବଢୁଥିବା ମଦ ମୃତ୍ୟୁ ସଂଖ୍ୟାକୁ ନେଇ ଚିନ୍ତାରେ ଗ୍ରାମବାସୀ । ଏହାର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

You might also like