ଓଡ଼ିଶାର ୪ ଜଣ ପାଇବେ ଜାତୀୟ ସାହସିକତା ପୁରସ୍କାର-୨୦୧୮

ଭୁବନେଶ୍ୱର : ଓଡ଼ିଶାର ୪ଜଣ ବାଳକ ଏବଂ ବାଳିକା ପାଇବେ ଜାତୀୟ ସାହସିକତା ପୁରସ୍କାର-୨୦୧୮ । ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ସିତୁ ମଲ୍ଲିକ, ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳର ଝିଲି ବାଗ, କଳାହାଣ୍ଡି ଜିଲ୍ଲା ନାକରୁଣ୍ଡି ଅଞ୍ଚଳର ରଂଜିତା ମାଝୀ ଏବଂ ଜଗତସିଂପୁର ଜିଲ୍ଲା ବାଲିକୁଦା ଇଛାପୁରର ବିଶ୍ୱଜିତ ପୁହାଣ।

ନିଜ ଦାଦାଙ୍କୁ କୁମ୍ଭୀର କବଳରୁ ରକ୍ଷା କରିଥିଲେ ସିତୁ ମଲ୍ଲିକ। ସେ ପାଇବେ ସମ୍ମାନଜନକ ବାପୁ ଗୟାଧନୀ ପୁରସ୍କାର। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ଝିଲି ବାଗ ୨୫ ଫୁଟ ଗଭୀର କୂଅ ଭିତରକୁ ଲମ୍ଫ ମାରି ନିଜ ସାନ ଭଉଣୀଙ୍କୁ ଉଦ୍ଧାର କରି ନିଜର ସାହସିକତାର ପରିଚୟ ଦେଇଥିଲେ।

କଳାହାଣ୍ଡିର ରଂଜିତା ମାଝୀ ନିଜର ପ୍ରସ୍ତାବିତ ବାଲ୍ୟ ବିବାହକୁ ବିରୋଧ କରି ଚର୍ଚ୍ଚାକୁ ଆସିଥିଲେ। ଜଗତସିଂପୁର ଜିଲ୍ଲାର ବିଶ୍ୱଜିତ ପୁହାଣ କେନାଲ୍ ପାଣିରେ ବୁଡ଼ିଯାଉଥିବା ଏକ ନାବାଳିକାକୁ ଉଦ୍ଧାର କରିବା ସହ ମୃତ୍ୟୁମୁଖରୁ ବଞ୍ଚାଇଥିଲେ। ଏହି ୪ ଜଣ ସାହସୀ ବାଳକ ଏବଂ ବାଳିକାଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସରେ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରାଯିବ।

You might also like