ଭକ୍ତଙ୍କ ପାଇଁ ଖୋଲିଲା ଲିଙ୍ଗରାଜ ମନ୍ଦିର

ଖୁସିରେ ଗଦଗଦ ଶ୍ରଦ୍ଧାଳୁ ! ସବୁ ବୟସର ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ଲାଗି ଭୁବନେଶ୍ୱର ମହାନଗର ନିଗମର ଅନୁମତି

ଭୁବନେଶ୍ୱର(ଅର୍ଚ୍ଚନା ଶତପଥୀ): ଆଜିଠାରୁ ସାଧାରଣ ଭକ୍ତଙ୍କ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଖୋଲିଛି । ସବୁ ବୟସର ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ଲାଗି ଭୁବନେଶ୍ୱର ମହାନଗର ନିଗମ ଅନୁମତି ପ୍ରଦାନ କରିଛି । ତେବେ ମନ୍ଦିରକୁ ପ୍ରବେଶ ପୂର୍ବରୁ କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି  । ରିପୋର୍ଟ ନେଗେଟିଭ୍ ଥିଲେ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

କୌଣସି ଶ୍ରଦ୍ଧାଳୁ ଯଦି ରିପୋର୍ଟ ଆଣିନଥିବେ, ତାଙ୍କ ପାଇଁ ବିଏମସି ପକ୍ଷରୁ ମାଗଣାରେ କୋଭିଡ୍ ପରୀକ୍ଷା କରାଯିବାର ବ୍ୟବସ୍ଥା ହୋଇଥିବା ବିଏମସି ଜୋନାଲ୍ ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି  । ପୂର୍ବରୁ ମନ୍ଦିର ଖୋଲିଥିଲେ ବି ୧୦ ବର୍ଷରୁ କମ୍ ଓ ୬୫ ବର୍ଷରୁ ଅଧିକ ବୟସର ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

କୋଭିଡ୍ କଟକଣା ପରେ ଗତ ୨୭ ତାରିଖରେ ଲିଙ୍ଗରାଜ ମନ୍ଦିର ଖୋଲାଯାଇଥିଲା। ପ୍ରଥମେ ୫ଦିନ ପର୍ଯ୍ୟନ୍ତ କେବଳ ସେବାୟତ ଓ ସେବାୟତଙ୍କ ପରିବାରଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଥିଲା। ପରେ ଭୁବନେଶ୍ୱରବାସୀଙ୍କୁ ଲିଙ୍ଗରାଜ ଦର୍ଶନର ଅନୁମତି ମିଳିଥିଲା। ଆଉ ଆଜିଠାରୁ ସାଧାରଣ ଲୋକଙ୍କୁ ଦର୍ଶନ ଅନୁମତି ମିଳିଥିବା ବେଳେ ପୂର୍ବରୁ ଲଗାଯାଇଥିବା ବୟସ କଟକଣାକୁ ଉଠାଇ ଦିଆଯାଇଛି। ଫଳରେ ଆଶ୍ୱସ୍ତି ଲାଭ କରିଛନ୍ତି ଶ୍ରଦ୍ଧାଳୁ।

ଆଜି ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ  ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରେ ବ୍ୟାରିକେଡ୍ କରାଯାଇଥିଲା । ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଆସି ପରିଚୟ ପତ୍ର ଦେଖାଇ ମନ୍ଦିରକୁ ପ୍ରବେଶ କରିବାକୁ କୁହାଯାଇଥିଲା । ଜାନୁଆରୀ ୧ ଓ ୨ ତାରିଖରେ ମନ୍ଦିର ବନ୍ଦ ରଖାଯାଇଥିବା ବେଳେ ୩ରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱରବାସୀଙ୍କୁ  ଦର୍ଶନ ଅନୁମତି ମିଳିଥିଲା। ଏହାପରେ ଆଜିଠାରୁ ସାଧାରଣ ଲୋକଙ୍କୁ ଦର୍ଶନ ଅନୁମତି ମିଳିଛି। କୋଭିଡ଼୍ କଟକଣା ଭିତରେ ଏତେଦିନ ବ୍ୟବଧାନରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି ବିଭୋର ହୋଇ ପଡ଼ିଛନ୍ତି ଶ୍ରଦ୍ଧାଳୁ।

ସେପଟେ ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି ଅପରାହ୍ନ ୨ଟା ୩୦ରୁ ଆରମ୍ଭ ହେବ।  ଏହି ସ୍ୱତନ୍ତ୍ର ନୀତି ମହାପ୍ରଭୁଙ୍କ ଗୁପ୍ତ ସେବା ହୋଇଥିବାରୁ ଏଥିପାଇଁ ୩ରୁ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅର୍ଥାତ୍ ଅପରାହ୍ନ ୨ଟା ୩୦ରୁ ପ୍ରାୟ ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ବାରଣ କରାଯାଇଛି । ଦତ୍ତ ମହାପାତ୍ରମାନେ ମହାପ୍ରଭୁଙ୍କ ବନକ ଲାଗି ନୀତି କରିବେ ।

You might also like