ଭକ୍ତଙ୍କ ଲାଗି ଲିଙ୍ଗରାଜ ମନ୍ଦିର ବନ୍ଦ

  • ଅନିର୍ଦ୍ଦିଷ୍ଟ କାଳ ଲାଗି ଲିଙ୍ଗରାଜ ମନ୍ଦିର ବନ୍ଦ
  • କିଛି ସେବାୟତ କରୋନା ସଂକ୍ରମିତ ହେବାରୁ ବିଏମସିର ନିଷ୍ପତ୍ତି
  • ଦୈନନ୍ଦିନ ନୀତିକାନ୍ତି ପାଇଁ କେବଳ ସେବାୟତଙ୍କୁ ମନ୍ଦିର ପ୍ରବେଶ ଅନୁମତି   

ଭୁବନେଶ୍ୱର : ବଢୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ଶ୍ରଦ୍ଧାଳୁଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ଲାଗି ବନ୍ଦ ହୋଇଛି ଶ୍ରୀଲିଙ୍ଗରାଜ ମନ୍ଦିର । କିଛି ସେବାୟତ କରୋନା ସଂକ୍ରମିତ ହେବାରୁ ସାଧାରଣ ଦର୍ଶନାର୍ଥୀଙ୍କ ଲାଗି ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମସି । ତେବେ ଏହି ସମୟରେ ସେବାୟତଙ୍କ ଦ୍ୱାରା ମନ୍ଦିରରେ ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ବିଧି ଅନୁସାରେ କରାଯିବ । ସେହିଭଳି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା କୋଭିଡ୍ ଗାଇଡ୍ ଲାଇନ ଭିତରେ ହେବ ଏ ନେଇ ବିଏମସି ପକ୍ଷରୁ ଗତ ୯ ତାରିଖରେ ନିର୍ଦ୍ଦେଶନାମା ପ୍ରକାଶ ପାଇସାରିଥିବାରୁ ସେହି ଅନୁସାରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଗତ ଜାନୁଆରୀ ୬ରେ ସାଧାରଣ ଭକ୍ତଙ୍କ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଖୋଲିଥିଲା । ସବୁ ବୟସର ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ଲାଗି ଭୁବନେଶ୍ୱର ମହାନଗର ନିଗମ ଅନୁମତି ପ୍ରଦାନ କରିଥିଲା । ତେବେ ମନ୍ଦିରକୁ ପ୍ରବେଶ ପୂର୍ବରୁ କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଥିଲା। ରିପୋର୍ଟ ନେଗେଟିଭ୍ ଥିଲେ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଥିଲା ।


ସେହପରି ଆଜିଠୁ ଶ୍ରୀମନ୍ଦିର ପାଇଁ ଲାଗୁ ହୋଇଛି ନୂଆ ଏସ୍ଓପି । କରୋନା ସଂକ୍ରମଣ ପ୍ରତିହତ ପାଇଁ ଆଜିଠୁ କଟକଣା ଭିତରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି । ବାହାର ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଯଦି କେହି ବାହାର ଭକ୍ତ ନେଗେଟିଭ୍ ରିପୋର୍ଟ କିମ୍ବା କରୋନା ଟିକାର ଦୁଇଟି ଡୋଜ୍ ନେଇଥିବା ସାର୍ଟିଫିକେଟ ଦେଖାଇ ନପାରନ୍ତି, ତେବେ ତାଙ୍କୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ତାସହ ନେଗେଟିଭ୍ ରିପୋର୍ଟ ୯୬ ଘଣ୍ଟା ପୂର୍ବରୁ ହୋଇଥିବା ଜରୁରୀ । ଏଥିପାଇଁ ଶ୍ରୀମନ୍ଦିର ବାହାରେ ସ୍ୱତନ୍ତ୍ର କିଓସ୍କ ଖୋଲାଯିବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ ପୂର୍ବରୁ ଏହି କିଓସ୍କରେ ପରିଚୟପତ୍ର ଓ ଆବଶ୍ୟକ କାଗଜପତ୍ର ଦେଖାଇବେ । ନଚେତ୍ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବନି । ସେହିପରି ଚଳିତ ସପ୍ତାହରେ ଶେଷ ଦୁଇ ଦିନ ଶନିବାର, ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ । ଭିତର କାଠ ପ୍ରବେଶ ନିଷେଧ କରାଯାଇ ଭକ୍ତଙ୍କୁ ବାହାର କାଠରୁ ଦର୍ଶନ ପାଇଁ ନିଷ୍ପତ୍ତି ହୋଇଛି ।

You might also like