ଲିଙ୍ଗରାଜ ମନ୍ଦିର ସେବାୟତ କରୋନା ପଜିଟିଭ: ସେପଟେ ରାଜ୍ୟ ଓ ଦେଶରେ ବଢିଲା ସଂକ୍ରମିତଙ୍କ ସଂଖ୍ୟା

ବଢୁଛି ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ଲିଙ୍ଗରାଜ ସେବାୟତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଏହାସହ ସେବାୟତଙ୍କ ସହ ତାଙ୍କ ପରିବାରର ଅନ୍ୟ ୩ ଜଣ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କୁ ସଂଗରୋଧରେ ରଖାଯିବା ସହ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ମନ୍ଦିରରେ ଆଉ କେଉଁମାନେ ସଂକ୍ରମିତ ହୋଇଛନ୍ତି ତାହାର ମଧ୍ୟ ଅନୁଧ୍ୟାନ କରାଯାଉଛି।

ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି। କହିବାକୁ ଗଲେ ପୁଣି ଓଡ଼ିଶାକୁ ଘାରିଲାଣି କରୋନା ଭୟ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୮୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୫୯ ରହିଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ କଟକରୁ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।

ସେପଟେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଦେଶରେ ପୁଣି କାୟା ମେଲାଉଛି କରୋନା। ରେକର୍ଡ ପରେ ରେକର୍ଡ କରି ଚାଲିଛି ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୬ ହଜାର ୯୫୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମଣ ସଂଖ୍ୟା ୧.୧୬ କୋଟିରୁ ଅଧିକ ହୋଇଯାଇଛି ।  ତେବେ ସବୁଠାରୁ ଚିନ୍ତାର ବିଷୟ ହେଲା  ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଦିନକରେ ୨୧୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଗତବର୍ଷ ନଭେମ୍ବର ମାସ ପରେ ଏହା ହେଉଛି ରେକର୍ଡ ସଂଖ୍ୟକ ସର୍ବାଧିକ ଦୈନିକ ସଂକ୍ରମଣ।  ଏହାପୂର୍ବରୁ, ୭ ନଭେମ୍ବର ୨୦୨୦ ରେ ଏତେ ସଂଖ୍ୟକ କରୋନା ମାମଲା ଆସିଥିଲା, ଆଉ ସେତେବେଳେ ଗୋଟିଏ ଦିନରେ ୫୦,୩୩୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

You might also like