ମୁଁ ସୋନୀ, ଖଳନାୟିକା କିନ୍ତୁ ସୁଇଟ ହାର୍ଟ…

ସୋର:ମୁଁ ସୋନୀ। ସୁଇଟ ହାର୍ଟ। ଟୋକାଙ୍କ ଛାତିରେ ବାଡେଇ ହୁଏ ମୁଁ । ସୁପର ସାଇକ୍ଲାନ ପରି…। ସେ ନାୟିକା ନୁହଁନ୍ତ, ଖଳନାୟିକା। କିନ୍ତୁ ଯାତ୍ରା ଦର୍ଶକଙ୍କର ଅତି ଆପଣାର। ମଞ୍ଚରେ ଏମିତି ହଟ୍‌ ଡାଇଲଗ୍ କହି ବେଶ୍‌ ତାଳି ସାଉଁଟନ୍ତି ବୈଶାଳୀ ସାହୁ ଓରଫ ରୀନା।

ଛ’ ଭାଇ ଭଉଣୀ। ଆର୍ଥକ ଅବସ୍ଥା ଭଲ ନୁହେଁ। ପିଲାମାନଙ୍କୁ କିପରି ମଣିଷ କରିବେ ଏଇ ଚିନ୍ତାରେ ବାପା ଗୋବର୍ଦ୍ଧନ ସାହୁ ଓ ମା’ ବାସନ୍ତୀ ଚିନ୍ତାରେ ଥିବାବେଳେ ମା’ ବାପାଙ୍କ ଦୁଃଖକୁ ବୁଝି ପାରିଥିଲେ ରୀନା। ବାପାଙ୍କ ଚିନ୍ତା ଦୂର ପାଇଁ ଆଗେଇ ଆସିଥିଲେ ମାତ୍ର ୮ ବର୍ଷ ବୟସରେ।

‘ଫଗୁଣ ଦେଇଛି ପହିଲି ଚିଠି’, ‘ଭାଲୁ ଶାସନରେ ଲାଲୁ ରାଜା’, ‘ରୀତା ମହାନ୍ତି ମିଛ କହନ୍ତି”.. ତାଙ୍କ ଜୀବନକୁ ଦେଇଥିଲା ନୂଆ ମୋଡ଼। ଏଇସବୁ ଯାତ୍ରାରେ କୁନି କଳାକାର ଭାବେ ଅଭିନୟ କରି ଯାତ୍ରା ଦୁନିଆରେ ପାଦ ଥାପିଥିଲେ। ସେବେଠାରୁ ଆଜିଯାଏ ପ୍ରାୟ ଅଶୀ ଖଣ୍ଡରୁ ଉର୍ଦ୍ଧ ଯାତ୍ରା ନାଟକରେ ଅଭିନୟ କରି ସାରିଲେଣି ବୈଶାଳୀ ଓରଫ ରୀନା। କେତେବେଳେ ଖଳନାୟିକା ତ କେତେବେଳେ ନାୟିକା..। ସବୁ ଅଭିନୟକୁ ନେଇ ସେ ଚର୍ଚ୍ଚାରେ।

ମୁକ୍ତେଶ୍ୱର ଅପେରା, କ୍ଲାସିକ ଗଣନାଟ୍ୟ, ଏବଂ ତ୍ରିନାଥ ଗଣନାଟ୍ୟରେ କୁନି କଳାକାର ଭାବରେ ଅଭିନୟ ସହିତ ନୃତ୍ୟ ପ୍ରଦର୍ଶନ କରୁଥିଲେ।  ପରେ ପରେ ଇଷ୍ଟର୍ନ ପିଙ୍କ ଗଣନାଟ୍ୟରେ ଅଭିନେତ୍ରୀ, ବାଘାଯତୀନ ଗଣନାଟ୍ୟ, ଯାତ୍ରା ସଚ୍ଚିଦାନନ୍ଦମ, ଇଂଦ୍ରଭୁବନ ଏବଂ ଶିବାନୀ ଗଣନାଟ୍ୟରେ ଖଳନାୟିକା ଭାବରେ ଅଭିନୟ କରି ଦର୍ଶକ ମହଲରେ ଖୁବ ପରିଚିତ ହୋଇଥିଲେ।

ତେବେ ବଦମାସ ମୀନକେତନ, ଗାୟତ୍ରୀ ଅପାର ଗୋପନ କଥା, ଲିସା ଚନ୍ଦନର ପ୍ରେମ କାହାଣୀରେ ତାଙ୍କର ଖଳନାୟିକା ଭୂମିକା ତାଙ୍କୁ ବେଶ ଲୋକପ୍ରିୟ କରିଥିଲା।

ନିଜ ପରିଚୟ, କର୍ମକୁ ନେଇ ସେ ଖୁବ୍‌ ଖୁସି। ଯାତ୍ରାପାର୍ଟି ତାଙ୍କର ଭାତହାଣ୍ଡି। ଯାତ୍ରା ଲାଇନ୍‌କୁ ଅନେକ ଖରାପ କହିଥାନ୍ତି। ହେଲେ ରୀନା ଏହା ସପକ୍ଷରେ ନାହାନ୍ତି। ତାଙ୍କ କଳାକୁ ଏକ ପରିଚୟ ଦେଇଛି ଏଇ ଯାତ୍ରାପାର୍ଟି। ଏଠି ସମସ୍ତେ ଖରାପ ନୁହଁନ୍ତି। ଏଇ ଦୁନିଆରେ ସ୍ନେହ, ସହାନଭୂତି ରହିଛି। ଭଲ ପାଇବା ରହିଛି।

ଅତୀତର ଏକ ଦୁଃଖଦ ଅନୁଭୂତିକୁ ମନେ ପକାଇ ରୀନା କହନ୍ତି, ୨୦୨୦ ମସିହାରେ ଯେତେବେଳେ ଛତିଶଗଡରେ ଯାତ୍ରା ପରିବେଷଣ କରୁଥିଲେ, ସେତେବେଳେ ତାଙ୍କର ସାନ ଭାଇଙ୍କର ରେଳ ଦୁର୍ଘଟଣାରେ ଦୁଇ ଗୋଡ଼ ହରାଇଥିଲେ।  ତାଙ୍କ ସହ ମୋବାଇଲର ଯୋଗାଯୋଗ ହୋଇନପାରି ନ ଥିଲା। ବହୁ କଷ୍ଟରେ ଯାତ୍ରାପାର୍ଟିର ଜଣଙ୍କ ସହ ଯୋଗାଯୋଗ ହୋଇ ପାରିଥିଲା। ସେଦିନ ତାଙ୍କୁ ଯାତ୍ରାପାର୍ଟିର ବରିଷ୍ଠ ସହକର୍ମୀମାନେ ସନ୍ତ୍ୱନା ଦେଇଥିଲେ। ତାଙ୍କୁ ଯାତ୍ରା କରିବାକୁ ମନା କରିଥିଲେ। ବରଂ ତାଙ୍କୁ ଭାଇଙ୍କ ପାଖକୁ ଯିବାକୁ ଅନୁମତି ଦେଇଥିଲେ। ଏହି ଦୁଃଖଦ ଖବର ତାଙ୍କୁ ଭୀଷଣ ଭାବରେ ସେତେବେଳେ ମର୍ମାହତ କରିଥିଲା। କିନ୍ତୁ ସହକର୍ମୀ ଭଲପାଇବା, ସହାନଭୂତି ତାଙ୍କୁ ବହୁତ ଭଲ ଲାଗିଥିଲା।

ଏବେ ନଅ ମାସ ଧରି ଯାତ୍ରା ରଙ୍ଗମଞ୍ଚ ବନ୍ଦ ରହିଛି। ଘରେ ରହିଛନ୍ତି। ଯାତ୍ରା ବନ୍ଦ ଥିବାରୁ ତାଙ୍କର ରୋଜଗାର ମଧ୍ୟ ବନ୍ଦ ହୋଇ ଯାଇଛି। ତଥାପି ସେ ଖୁସି। କରୋନା ଲକ୍‌ଡାଉନ ତାଙ୍କ ପାଇଁ ବରଦାନ ପରି ହୋଇଥିବା କହିଛନ୍ତି ରୀନା। କାରଣ, ଅନେକ ଦିନରୁ ପରିବାରଠାରୁ ଦୂରେଇ ରହିବା ପରେ ଏବେ ନିଜ ଲୋକଙ୍କ ଗହଣରେ ରହିବାର ସୁଯୋଗ ପାଇଛନ୍ତି। ସେମାନଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବାକୁ ମନଭରି ଉପଭୋଗ କରୁଛନ୍ତି।

ଏବେ ରାଜ୍ୟ ସରକାର ଯାତ୍ରା କୁ ଅନୁମତି ଦେଇଥିବାରୁ  ଯାତ୍ରାପାର୍ଟି ଖୋଲିବ। ପୁଣି ଆରମ୍ଭ ହେବ କର୍ମମୟ ଜୀବନ। ହେଲେ ପରିବାର ସହ ବିତାଇଥିବା ଏଇ ସୁଖଦ ମୁହୂର୍ତ୍ତକୁ ସେ ଭୁଲି ପାରିବେନି। ଯାତ୍ରା ଦୁନିଆରେ ଅଭିବାହିତା ରୀନା ଓରଫ ବୈଶାଳୀ ନିଜର କଳା, ଅଭିନୟକୁ ନେଇ ଏମିତି ଚମକୁଥାନ୍ତୁ ।

You might also like