ଖୋର୍ଦ୍ଧା: ଏଲ୍ଆଇସି ଖୋର୍ଦ୍ଧା ଶାଖା ସଭାପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ହରିରାଜପୁର ଫାଣ୍ଡି ନିମବସନ୍ତ ଗାଁର ରବୀନ୍ଦ୍ର କୁମାର ନାହାକ। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।
ଖୋର୍ଦ୍ଧାରୁ ଘରକୁ ଫେରୁଥିବା ବେଳେ ଜଟଣୀ ନାଇଜର ନିକଟରେ ତାଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେ ଜଟଣୀରେ ପରିବାର ସହ ଭଡ଼ାରେ ରହୁଥିଲେ।
ସୂଚନା ଅନୁସାରେ, ଗତକାଲି ରାତିରେ ସେ ଅଫିସରୁ ବାହାରି ଜଟଣୀ ଯାଉଥିବା ବେଳେ ରାସ୍ତାରେ ରବୀନ୍ଦ୍ରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରବୀନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା।
ତେବେ ଏଲ୍ଆଇସିକୁ ନେଇ କିଛି ଲୋକଙ୍କର ତାଙ୍କ ସହ ଶତ୍ରୁତା ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଖବର ପାଇ ଜଟଣୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।