ପ୍ରବାସୀ ଓଡ଼ିଆଙ୍କ ଚିକିତ୍ସା ପାଇଁ ସହାୟତା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: କରୋନା ମହାମାରୀ ଦେଶରେ ଦିନକୁ ଦିନ ବେକାବୁ ହେଉଛି । ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେବାରେ ଲାଗିଲାଣି । ବିଶେଷ କରି ଦିଲ୍ଲୀ ସ୍ଥିତି ଖୁବ୍‌ ଗମ୍ଭୀର ହୋଇପଡ଼ିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାରରୁ ଅଧିକ ରହୁଛି । ଡାକ୍ତରଖାନା କରୋନା ରୋଗୀରେ ଭର୍ତ୍ତି ହୋଇଗଲାଣି । ଆଗକୁ ଡାକ୍ତରଖାନାରେ ବେଡ୍‌ ମିଳିବା ନେଇ ସମସ୍ୟା ଦେଖା ଦେଇପାରେ । ଏପରିକ ଅକ୍ସିଜେନ ସିଲିଣ୍ଡର ମଧ୍ୟ ମିଳୁନି । ଅକ୍ସିଜେନ ସିଲିଣ୍ଡର ଅଭାବରୁ ରୋଗୀ ମୃତ୍ୟୁ ଘଟୁଛି । ଏପରି ସ୍ଥିତିରେ କରୋନା ମୁକାବିଲା ପାଇଁ ଅକ୍ସିଜେନ ସିଲିଣ୍ଡର ଏବଂ ଆନୁଷଙ୍ଗିକ ଉପକରଣ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ପ୍ରବାସୀ ଓଡ଼ିଆ ।

ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଓଡ଼ିଆ ମହାମଞ୍ଚର ନିର୍ଦ୍ଦେଶକ ଗୋବର୍ଦ୍ଧନ ଧଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି । ଶ୍ରୀ ଧଳ ଲେଖିଛନ୍ତି, ଦିଲ୍ଲୀରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଲାଣି । ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୂଶୁଡ଼ି ପଡ଼ିଲାଣି । ଏପରି ସ୍ଥିତିରେ ପରିବାର ଚଳାଇବା ପାଇଁ ଦିଲ୍ଲୀ ଓ ଏନସିଆରରେ ଥିବା ପ୍ରବାସୀ ଓଡ଼ିଆମାନେ ନିଜର ଚିକିତ୍ସା ଲାଗି ଖୁବ ହଇରାଣ ହେଉଛନ୍ତି । ନା ମେଡିକାଲରେ ବେଡ୍‌ ପାଉଛନ୍ତି ନା ଅକ୍ସିଜେନ । ରାଜ୍ୟ ସରକାର ଅତି କମ୍‌ରେ ୨୦୦ ଅକ୍ସିଜେନ ସିଲିଣ୍ଡର, ରେଗୁଲେଟର ଓ କିଟ୍‌ ଓଡ଼ିଶା ସଦନ ବା ଓଡ଼ିଶା ନିବାସ ବା ଅନ୍ୟ ସଂସ୍ଥା ମାଧ୍ୟମରେ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତ । ଓଡ଼ିଆ ମହାମଞ୍ଚ ଏହାକୁ ପ୍ରବାସୀଙ୍କ ପାଖରେ ପହଞ୍ଚା ପାରିବ ବୋଲି ଧଳ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଅକ୍ସଜେନ ରିଫିଲିଂ ପାଇଁ ଦିଲ୍ଲୀ ଏନସିଆରରେ ବ୍ୟବସ୍ଥା କରିବା ଓ ପରିବହନ ଲାଗି ଆର୍ଥିକ ସହାୟତା ଯୋଗାଇ ଦେବାକୁ ଓଡ଼ିଆ ମହାମଞ୍ଚ ଦାବି କରିଛି ।

ସୂଚନାଥାଉ କି, ଦିଲ୍ଲୀରେ ଗତ ୨୪ଘଣ୍ଟାରେ ୭୨ ହଜାର ନମୂନା ପରୀକ୍ଷା ହୋଇଥିବାବେଳେ ୨୦, ୩୯୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ରାଜଧାନୀରେ ୪୦୭ ଜଣଙ୍କର ଆଜି କରୋନାରେ ଜୀବନ ଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୬୮ ହଜାର ୧୪୭ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ଦେଶରେ ୩୪୧୭ ଜଣ ରୋଗୀ କରୋନାରେ ଆଖି ବୁଜିଛନ୍ତି । ଦେଶରେ ବର୍ତ୍ତମାନ ୩୪,୧୩,୬୪୨ ଟି ଆକ୍ଟିଭ କେସ ଥିବାବେଳେ ୨୪ ଘଣ୍ଟାରେ ୧୨, ୧୦,୩୪୭ ଜଣ ଭାକ୍ସିନ ନେଇଛନ୍ତି ।

You might also like