ଆସ ବୁଲିଯିବା ଟୁଙ୍କି ଜଳପ୍ରପାତ

ଶୀତ ରୁତୁ ଆସିଲେ ମନେ ପଡ଼େ ପର୍ଯ୍ୟଟନ ସ୍ଥଳୀ

ବାରିପଦା: ଶୀତ ରୁତୁ ଆସିଲେ ମନେ ପଡ଼େ ପର୍ଯ୍ୟଟନ ସ୍ଥଳୀ। ପର୍ଯ୍ୟଟନର ବିକାଶ ହେଲେ ପର୍ଯ୍ୟଟକଙ୍କ ସୁଅ ଛୁଟେ ବିଭିନ୍ନ ସ୍ଥାନକୁ। ଏଭଳି ଏକ ପର୍ଯ୍ୟଟନୀ ସ୍ଥଳ ହେଲା ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଥିବା ଟୁଙ୍କି ଜଳ ପ୍ରପାତ। କରୋନା କଟକଣା ଯୋଗୁଁ ଏବେ ଏଠାକୁ କମ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ହେଉଛି। ତେବେ ଧୀରେ ଧୀରେ ସଂକ୍ରମଣ କମିଲେ ଏଠାକୁ ପର୍ଯ୍ୟଟକଙ୍କ ଆଗମନ ହେବ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ବାସିନ୍ଦା।

ଉଚ୍ଚ ପାହାଡ଼ରୁ ଝରି ଆସୁଛି ଝରଣାର ପାଣି। କୁଳୁକୁଳିଆ ନାଦ ସାଙ୍ଗକୁ ଶାନ୍ତ ପରିବେଶରେ ସମୟ ବିତାଇବା ଲାଗି ଦିନେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିଲା, ହେଲେ କରୋନା କଟକଣା ଯଗୁଁ ଏଠାକୁ କମ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି।  ଟୁଙ୍କି ଜଳ ପ୍ରପାତରେ ଡିସେମ୍ବର ମାସ ଠାରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥାଏ l ପ୍ରାକୃତିକ ମନଲୋଭା ପରିବେଶ ଓ ବଣଭୋଜି କରିବାରେ ବେଶ ମଜା ନେଇଥାନ୍ତି ପର୍ଯ୍ୟଟକ l

କେବଳ ଏ ଅଞ୍ଚଳ ନୁହେଁ ବାଲେଶ୍ୱର, କେଉଁଝର, କଟକ , ଭୁବନେଶ୍ୱର ଏପରିକି ପଶ୍ଚିମବଙ୍ଗରୁ ମଧ୍ୟ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି। ପ୍ରତେକ ବର୍ଷ ଏହି ଜଳ ପ୍ରପାତରେ ପର୍ଯ୍ୟଟକଙ୍କ ଭିଡ ଲାଗିଥିବା ବେଳେ ଗମନା ଗମନ ପାନୀୟ ଜଳର ସମସ୍ୟା ଥିବା ପର୍ଯ୍ୟଟକ ପ୍ରକାଶ କରିଛନ୍ତି l ସରକାର ଏହି ପର୍ଯ୍ୟଟନ ସ୍ଥଳୀର ସମସ୍ୟା ପ୍ରତି ଦୃଷ୍ଟି ଦେଲେ ଏଠାକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିବେ ବୋଲି କହିଛନ୍ତି ବ୍ୟବସାୟୀ।

You might also like