ଚଳିତ ବର୍ଷଠାରୁ ପୁରୀ ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା

ପୁରୀବାସୀଙ୍କ ପାଇଁ ଖୁସି ଖବର

ପୁରୀ: ପୁରୀବାସୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷଠାରୁ ହିଁ ପୁରୀ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ। ମିଳିଥିବା ସୂଚନା ଅନୁସାରେ, ମାତ୍ର ଶହେଟି ସିଟରେ ଆଡମିଶନ ପାଇଁ ଅନୁମତି ମିଳିଛି। ଏଣୁ ଚଳିତ ବର୍ଷରୁ ପାଠପଢ଼ା ଆରମ୍ଭ ହେବ ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି।

ନବ ନିର୍ମିତ ମେଡିକାଲ କଲେଜର ଭିତ୍ତିଭୂମି ଯାଞ୍ଚ କରିବା ପରେ ଡିଏମ୍ଇଟି ଏହି ସୂଚନା ଦେଇଛନ୍ତି। କେବଳ ଏତିକି ନୁହେଁ ବରଂ ଡିଏମ୍ଇଟି ଆଜି ମେଡିକାଲ କଲେଜର ଭିତ୍ତିଭୂମି ବୁଲି ଦେଖିବା ସହ ଜିଲ୍ଲା ହସ୍ପିଟାଲ ମଧ୍ୟ ଯାଞ୍ଚ କରିଛନ୍ତି। ଏହି ଗସ୍ତବେଳେ ମେଡିକାଲ କଲେଜ୍ ଡିନ୍ ଓ ଅଧୀକ୍ଷକ ସାମିଲ ଥିଲେ।

ତେବେ ଡିଏମଇଟି କହିଛନ୍ତି ଯେ, “ସରକାରୀ ନିୟମ ଅନୁସାରେ ପ୍ରଥମେ ଏଲଓପି ନିଆଯାଏ। ଆମେ ଏନେଇ କେନ୍ଦ୍ର ସରକାରଙ୍କୁ ବି ଦରଖାସ୍ତ କରିଛୁ। କେମିତି ଭିତ୍ତିଭୂମି ରହିଛି, କେତେ କର୍ମଚାରୀର ଆବଶ୍ୟକତା ରହିଛି ତାହାକୁ ମଧ୍ୟ ଦେଖାଯିବ। ଏହା ପରେ ହିଁ ସବୁ ନିଷ୍ପତ୍ତି ହୁଏ। ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର ୧୦୦ ପିଲାଙ୍କୁ ଆଡମିଶନ କରିବା ପାଇଁ ଅନୁମତି ଦେଇଛନ୍ତି। ତେଣୁ ସେମାନେ ସବୁ ଦେଖିବେ ଓ ଅନୁଧ୍ୟାନ କରିବେ” ବୋଲି ଡିଏମଟି କହିଛନ୍ତି।

ପୁରୀ ଓ ଯାଜପୁର ମେଡିକାଲ କଲେଜକୁ ନେଇ ପୂର୍ବରୁ କ୍ୟାବିନେଟ୍ ମଂଜୁରୀ ମିଳିଥିଲା। ପୁରୀରେ ୧୦୦ ସିଟ୍ କଲେଜ ଓ ୬୫୦ ଶଯ୍ୟାର ହସ୍ପିଟାଲ ହେବ। ପୁରୀ ମେଡିକାଲ କଲେଜ ପାଇଁ ୨୨୪ କୋଟି ୫୫ ଲକ୍ଷ ଖର୍ଚ୍ଚ ହେବ। ସେହିପରି  ଯାଜପୁରରେ ୧୦୦ ସିଟ୍ କଲେଜ ଓ ୫୦୦ ଶଯ୍ୟାର ହସ୍ପିଟାଲ ହେବ। ମେଡିକାଲ କୋଠା ଓ ଭିତ୍ତିଭୂମି ପାଇଁ ୪୨୬ କୋଟି ୫୧ ଲକ୍ଷ ଖର୍ଚ୍ଚ ହେବ। ଉଭୟ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ୩ ବର୍ଷ ମଧ୍ୟରେ ସରିବ ବୋଲି ସରକାର ନିଷ୍ପତ୍ତି ନେଇଥିଲେ ।

କୋଭିଡ୍ ଗାଇଡଲାଇନ ଭିତରେ ଗତ ଡିସେମ୍ବର ୧ରେ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିଥିଲା। କରୋନା ପରଠାରୁ ସମସ୍ତ ସ୍କୁଲ, କଲେଜ୍‌ ବନ୍ଦ ଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ମେଡିକାଲ କଲେଜ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।

 

You might also like