‘ମତେ ପଛେ ବିକ୍ରି କରିଦିଅ କିନ୍ତୁ ମୋ ପୁଅକୁ ଭଲ କରିଦିଅ’
ଭୁବନେଶ୍ୱର: ‘ମତେ ପଛେ ବିକ୍ରି କରିଦିଅ କିନ୍ତୁ ମୋ ପୁଅକୁ ଭଲ କରି ଦିଅ। ସେ ଚାଲିଗଲେ ମୁଁ ରହି ପାରିବିନି।’ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଯବାନ ପୁଅକୁ ଭଲ କରିବାକୁ ଏ ହେଉଛି ଜଣେ ଅସହାୟ ବୁଢା ବାପାର ଆକୁଳ ନିବେଦନ।
ଗୋଟିଏ ପଟେ ରାଜ୍ୟ ସରକାର ନିଜର ସ୍ୱଚ୍ଛ ଓ ନିର୍ମଳ ଭାବ ମୂର୍ତ୍ତି ପାଇଁ ୫-ଟିର ପ୍ରଚଳନ କରିଛନ୍ତି, ହେଲେ ଦେଶବାସୀଙ୍କ ସୁରକ୍ଷାରେ ସର୍ବଦା ଜାଗ୍ରତ ସେନା ଓ ଯବାନମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ଅସମର୍ଥ ହୋଇଛନ୍ତି।
ସୂଚନା ଅନୁଯାୟୀ, ଓଏସ୍ଏପି ୨ୟ ବାଟାଲିୟନ୍ରେ ସିପାହୀ କୃଷ୍ଣଚନ୍ଦ୍ର ମଲ୍ଲିକ, ରାଉରକେଲାର କାଲ୍ଟା ଫାଣ୍ଡିରେ କାର୍ଯ୍ୟରତ। ପରିବାର ଲୋକଙ୍କ ଅଭିଯୋଗ ଯେ, ଗତ ୩ ତାରିଖରେ ଡ୍ୟୁଟିରେ ଥିବା ସମୟରେ କୃଷ୍ଣଚନ୍ଦ୍ରଙ୍କ ବ୍ରେନ୍ ଷ୍ଟ୍ରୋକ ହେଲା ମାତ୍ର ତାଙ୍କୁ ହସ୍ପିଟାଲ ନେବା ବଦଳରେ ସହଯୋଗୀ ଓ ଉପରିସ୍ଥ କର୍ମଚାରୀ ତାଙ୍କର ଅଚେତ ଅବସ୍ଥାର ସୁଯୋଗ ନେଇ ଏକ ଛୁଟି ଦରଖାସ୍ତରେ ଦସ୍ତଖତ ନେଇ ଯାଇଥିଲେ।
ତା’ ପରଠୁ ତାଙ୍କ କଥା କେହି ପଚାରିବାକୁ ନାହାନ୍ତି, ଏମିତିକି କୌଣସି ସରକାରୀ ସହାୟତା କରାଯାଇ ନ ଥିବା ମଧ୍ୟ କୃଷ୍ଣଚନ୍ଦ୍ରଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।
ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଯବାନ ପୁଅକୁ ଭଲ କରିବା ପାଇଁ ସରକାରଙ୍କ ନିକଟରେ କୃଷ୍ଣଚନ୍ଦ୍ରଙ୍କ ବୃଦ୍ଧ ବାପା ଗଙ୍ଗାଧର ମଲ୍ଲିକ ନିବେଦନ କରିଛନ୍ତି। ଗୋଟିଏ କି ଦୁଇଟି ନୁହେଁ ବରଂ ସାତ ପ୍ରାଣୀ କୁଟୁମ୍ବଙ୍କୁ ପୋଷୁଥିବା ଯବାନ ପୁଅକୁ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦେଖି ଅସହାୟ ହୋଇପଡ଼ିଛନ୍ତି ବୁଢା ବାପା। ଦେଶକୁ ସୁରକ୍ଷା ଦେଉଥିବା ଯବାନ ଆଜି ମୃତ୍ୟୁ ସହ ଲଢେଇ କରୁଛନ୍ତି। ହେଲେ ନା ତାଙ୍କ ସାଙ୍ଗରେ ଅଛନ୍ତି କେହି ସହଯୋଗୀ ନା ଅଛି ସରକାରଙ୍କ ଆର୍ଥିକ ସହାୟତା।
ଅନ୍ୟପକ୍ଷରେ କୃଷ୍ଣଚନ୍ଦ୍ରଙ୍କ ଅସୁସ୍ଥ ଖବର ଜାଣିବା ପରେ କିଛି ସ୍ୱେଚ୍ଛାସେବୀ ସଂଗଠନ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। କୃଷ୍ଣଚନ୍ଦ୍ରଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି। ସେପଟେ ବଣାଇ ଏସ୍ଡିପିଓ କହିଛନ୍ତି କୃଷ୍ଣଚନ୍ଦ୍ର ଛୁଟିରେ ଅଛନ୍ତି।
ଦୁଃଖକଷ୍ଟରେ ଚଳୁଥିବା କୃଷ୍ଣଚନ୍ଦ୍ରଙ୍କ ବୁଢା ବାପା ଆଜି ନିଜ ପୁଅର ଜୀବନ ବଞ୍ଚାଇବା ପାଇଁ କେନ୍ଦୁଝରରୁ ଭୁବନେଶ୍ୱର ଦୌଡ଼ୁଛନ୍ତି। କାଳେ ସରକାର ଆର୍ଥିକ ସହାୟତା ଦେଲେ ଚିକିତ୍ସା ଦ୍ୱାରା ତାଙ୍କ ପୁଅ ଭଲ ହୋଇପାରିବ।