କରୋନା ଲକ୍‌ଡାଉନ୍‌ ପାଇଁ ବଢିଲା ଗାଡ଼ି କାଗଜପତ୍ରର ବୈଧତା

ଭୁବନେଶ୍ୱର: କରୋନା ଲକ୍‌ଡାଉନ୍‌ ପାଇଁ ବଢିଲା ଗାଡିର ବିଭିନ୍ନ କାଗଜପତ୍ର ବୈଧତା।  ଫେବ୍ରୁଆରୀ ୧ ତାରିଖ ପରେ ସରୁଥିବା ଗାଡିର ଫିଟନେସ୍, ରେଜିଷ୍ଟ୍ରେସନ୍, ପରମିଟ୍, ଡ୍ରାଇଭିଂ ଲାଇସେନ୍ସ ଭଳି କାଗଜପତ୍ରର ବୈଧତାକୁ କେନ୍ଦ୍ର ସରକାର ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଜି ଟୁଇଟ୍ କରି ସୂଚନା ଦିଆଯାଇଛି ।

ସେହିପରି ଓଡ଼ିଶାରେ ଲର୍ଣ୍ଣିଂ ଲାଇସେନ୍ସ ଏବଂ ପ୍ରଦୂଷଣ ସାର୍ଟିଫିକେଟର ବୈଧତାକୁ ମଧ୍ୟ ୩୦ ଜୁନ ପର୍ଯ୍ୟନ୍ତ ବଢାଯାଇଥିବା ନେଇ ଏସଟିଏ ପକ୍ଷରୁ ଟୁଇଟ୍ କରାଯାଇଛି।  କରୋନା ଯୋଗୁଁ ଲକ୍‌ଡାଉନ୍‌ ଚାଲିଥିବା ବେଳେ ମାଲବାହୀ ଗାଡିଗୁଡିକର ଚଳାଚଳକୁ ସୁଗମ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନିଷ୍ପତ୍ତି ନିଆଯାଇଛି ।

ଏହି ଟ୍ୱିଟ୍‌ରେ ଲେଖାଯାଇଛି, କେନ୍ଦ୍ର ସରକାର ଫିଟ୍‌ନେସ୍‌, ପଞ୍ଜୀକରଣ, ପରମିଟ୍ ଓ ଡିଏଲ୍‌ ଆଦିର ବୈଧତାକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଯଦିଓ ଏଥିରେ ନିର୍ଦ୍ଦିଷ୍ଟ ଭାବେ କିଛି ଉଲ୍ଲେଖ କରାଯାଇନାହିଁ, ତଥାପି ଆମେ ଓଡ଼ିଶାରେ ଲର୍ଣ୍ଣିଂ ଲାଇସେନ୍ସ ଓ ପ୍ରଦୂଷଣ ସାର୍ଟିଫିକେଟ୍‌ର ବୈଧତାକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇବୁ।

ଏ ନେଇ ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟର ପୋଲିସ ଡିଜି, ପରିବହନ ବିଭାଗର ସଚିବ ଏବଂ ରାଜ୍ୟଗୁଡିକର ପରିବହନ କମିଶନରଙ୍କୁ ଚିଠି ଲେଖାଯାଇଛି ।

You might also like