ଭୋଟ୍‌କୁ ନେଇ ଖାଲି ଜନତା ନୁହଁନ୍ତି, ନେତାଙ୍କ ଭିତରେ ବି ଥିଲା ପ୍ରବଳ ଆଗ୍ରହ

ଭୁବନେଶ୍ୱର : ୧୯ ମହାସମରର ପ୍ରଥମ ପର୍ଯ୍ୟାୟ ଭୋଟ୍ ବେଳେ ସାଧାରଣ ଜନତାଙ୍କ ଭଳି ମତଦାନକୁ ନେଇ ବେଶ୍ ଉତ୍ସାହିତ ଥିଲେ ବିଭିନ୍ନ ଦଳର ରାଜନେତା। ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେବାକୁ ଅପେକ୍ଷା କରିଥିଲେ ରାଜନେତା।

କଳାହାଣ୍ଡି ଲୋକସଭା ଆସନ ଲାଗି ତ୍ରିମୁଖୀ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିବା ତିନି ହେଭିୱେଟ୍ ନିଜ ଅଞ୍ଚଳରେ ଭୋଟ୍ ଦାନ କରିଥିଲେ। କଳାହାଣ୍ଡି ଲୋକସଭା ପାଇଁ ଲଢୁଥିବା ବିଜେପି ପ୍ରାର୍ଥୀ ତଥା ଦଳ ରାଜ୍ୟ ସଭାପତି ବସନ୍ତ ପଣ୍ଡା ନୂଆପଡ଼ାରେ ଭୋଟ୍ ଦେଇଥିଲେ। ସେହିଭଳି ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ଧର୍ମଗଡ଼ରେ ମତାଧିକାର ସାବ୍ୟସ୍ତ କରିଥିଲେ।

କଳାହାଣ୍ଡି ଲୋକସଭାର କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ, ପୁଅ ସାଗର ଦାସ ଓ ପରିବାର ସହ ଆସି ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଥିଲେ। ସେହିପରି ବିଜେଡି ପ୍ରାର୍ଥୀ ଦୁଷ୍ମନ୍ତ ନାୟକ ଓ ବିଜେପି ପ୍ରାର୍ଥୀ ପ୍ରଦୀପ୍ତ ନାୟକ ଭୋଟ୍ ଦେଇଥିଲେ।

ଏପଟେ ମତାଧିକାର ସାବ୍ୟସ୍ତ ଲାଗି ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହୋଇଥିଲେ ନବରଙ୍ଗପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ରମେଶ ମାଝୀ। ତାଙ୍କ ପଛକୁ ଥିଲେ ଝରିଗାଁ ବିଧାନସଭା ଆସନରୁ ଲଢୁଥିବା ତାଙ୍କ ଭାଇ ପ୍ରକାଶ ମାଝୀ।

ସେହିଭଳି ନବରଙ୍ଗପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ବଳଭଦ୍ର ମାଝି, କଂଗ୍ରେସ୍ ପ୍ରାର୍ଥୀ ପ୍ରଦୀପ ମାଝୀ, ଜୟପୁର ଆସନରେ ମୁହାମୁହିଁ ହେଉଥିବା ରବି ନାରାୟଣ ନନ୍ଦ ଓ ତାରା ବାହିନୀପତି ଏବଂ ରାୟଗଡ଼ା ବିଧାନସଭାରୁ ଲଢୁଥିବା ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା ବି ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାକୁ ଭୁଲି ନଥିଲେ।

ଏପଟେ ଗୁଣପୁର ଆସନରୁ ଲଢୁଥିବା ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ ବାପାଙ୍କ ସହ ବୁଥ୍‌କୁ ଆସିଥିଲେ।

ସେହିପରି କୋରାପୁଟ ଲୋକସଭା ଆସନରୁ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା, ନିଜ ପତ୍ନୀଙ୍କ ସହ ମତଦାନ କେନ୍ଦ୍ରକୁ ଆସି ମତାଧିକାର ସାବ୍ୟସ୍ତ କରିଥିଲେ।

ଏଣେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ବିଜେଡି ସାଂସଦ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ, ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା, ବିଜେପି ପ୍ରାର୍ଥୀ କାହ୍ନୁ ପତି ଏବଂ ଦିଗପହଣ୍ଡିରୁ ନିର୍ବାଚନ ଲଢୁଥିବା ସୂର୍ଯ୍ୟ ପାତ୍ର ନିଜ ନିଜ ବୁଥ୍‌ରେ ମତାଧିକାର ସାବ୍ୟସ୍ତ କରିଥିଲେ।

ରାଜ୍ୟର ୪ ଲୋକସଭା ଓ ୨୮ ବିଧାନସଭାର ଭୋଟର ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥିବା ବେଳେ ଏବେ ଅପେକ୍ଷା ମେ ୨୩ର ଫଇସଲାକୁ।

You might also like