ବିଧାନସଭା ଶୂନ୍ୟ କାଳରେ ଉଠିଲା ‘ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ’ ଦୁର୍ନୀତି

ଭୁବନେଶ୍ୱର: ‘ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ’ ଦୁର୍ନୀତି ପ୍ରସଙ୍ଗକୁ ଆଜି ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଉଠାଇଛନ୍ତି। ଶୂନ୍ୟ କାଳରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଖଦି ସାମଗ୍ରୀ କିଣାବିକା ଓ ମହୁଚାଷ ପ୍ରଶିକ୍ଷଣରେ ବ୍ୟାପକ ଅନିୟମିତତା ହୋଇଥିବା ସେ ଦର୍ଶାଇଛନ୍ତି। ଏଥିସହ ସେ ଏହାର ତଦନ୍ତ ମଧ୍ୟ ଦାବି କରିଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ‘ଓଡ଼ିଶା ବିଶ୍ୱବିଦ୍ୟାଳୟ ଆକ୍ଟ ୧୯୮୯ ଅନୁସାରେ ସମସ୍ତ ବିଶ୍ୱବିଦ୍ୟାଳୟ ସେମାନଙ୍କ ଅଡିଟ୍ ରିପୋର୍ଟ ଗୃହରେ ଉପସ୍ଥାପନ କରିବା କଥା। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଅଡିଟ୍ ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇନାହିଁ।’

ଏଥିରୁ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ବ୍ୟାପକ ଦୁର୍ନୀତି ହେଉଥିବା ସ୍ପଷ୍ଟ ବୋଲି ନରସିଂହ କହିଛନ୍ତି। ସରକାର ଏହା ଉପରେ ଗୁରୁତ୍ୱ ଦେଇ ଅଡିଟ୍ ରିପୋର୍ଟ ଗୃହରେ କିପରି ଉପସ୍ଥାପନ ହେବ ଏନେଇ ସେ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ଏହାସହ ଗୃହ ମୁଲତବି କରି ଆଲୋଚନା କରିବାକୁ ନରସିଂହ ଦାବି କରିଥିଲେ। ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ଗୃହରେ ହୋହାଲ୍ଲା ହେବାରୁ ବାଚସ୍ପତି ଗୃହକୁ ୧୨ଟା ୫୦ ଯାଏ ମୁଲତବି ଘୋଷଣା କରିଥିଲେ।

You might also like