‘ଭୁଲ ଥିଲେ କ୍ଷମା କର’: ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ଲକ୍ଷ୍ମୀକାନ୍ତଙ୍କ ଭାଇ

ଭୁବନେଶ୍ୱର: ଅଡିଓ ଭାଇରାଲ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଲକ୍ଷ୍ମୀକାନ୍ତଙ୍କୁ ରାତି ଅଧିଆ ଗିରଫ ପରେ ଭୟରେ ଥରୁଛନ୍ତି ତାଙ୍କର ପରିବାର। ପୁଅର ଗିରଫଦାରୀରେ ଭୟଭୀତ ହୋଇ ବାପା, ମା’ ଅସୁସ୍ଥ ହୋଇପଡିଛନ୍ତି। ଏପଟେ ପରିବାରର କରୁଣ ଚିତ୍ର ବଖାଣିଛନ୍ତି ଲକ୍ଷ୍ମୀକାନ୍ତଙ୍କ ଭାଇ, ଭାଇବୋହୂ।

୨ ବର୍ଷ ତଳେ ଲକ୍ଷ୍ମୀକାନ୍ତଙ୍କ ପରିବାର ୧୬ ବର୍ଷ ପୁଅକୁ ହରାଇଥିଲେ। ସେବେଠାରୁ ପରିବାର ସବୁ ସଦସ୍ୟ ଗଭୀର ମନସ୍ତାପରେ ରହିଛନ୍ତି। ଏବେ ହଠାତ ଲକ୍ଷ୍ମୀକାନ୍ତଙ୍କୁ ଗିରଫ ନେଇ ଭାଙ୍ଗି ପଡ଼ିଛନ୍ତି ପରିବାର। ଏହି ଖବର ଶୁଣିବା ପରେ ଲକ୍ଷ୍ମୀକାନ୍ତଙ୍କ ବୟସ୍କ ବାପା, ମା ଅସୁସ୍ଥ ହୋଇ ଶଯ୍ୟାଶାୟୀ ହୋଇଛନ୍ତି।

ଏନେଇ ଭାଇକୁ କ୍ଷମା କରିଦେବା ପାଇଁ ଲକ୍ଷ୍ମୀକାନ୍ତଙ୍କ ସାନଭାଇ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଆମକୁ କ୍ଷମା କରି ଭାଇକୁ ଛାଡ଼ିଦିଅନ୍ତୁ। ଭାଇରାଲ ଉଦ୍ଦେଶ୍ୟରେ ନୁହେଁ, ସାଙ୍ଗକୁ ସେ ତାଙ୍କ ଅନୁଭୂତି କହିଥିଲେ। ମୁଖ୍ୟମନ୍ତ୍ରୀ ଯଦି ଭାବୁଛନ୍ତି ଭୁଲ୍ ହୋଇଛି, ତେବେ କ୍ଷମା କରିଦିଅନ୍ତୁ ବୋଲି ସାନ ଭାଇ କହିଛନ୍ତି।

ଅଡିଓ ଭାଇରାଲ ନେଇ ଭୁବନେଶ୍ୱରରେ ୨ ଜଣଙ୍କୁ ଗିରଫ ପ୍ରସଙ୍ଗରେ ଗିରଫ ଲକ୍ଷ୍ମୀକାନ୍ତ ବେହେରାଙ୍କ ଘରେ ପହଞ୍ଚିଲା ଟିମ୍ ବିଜେପି। ବିଜେପି ନେତା ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ବାବୁ ସିଂହ ତାଙ୍କ ଗରେ ପହଞ୍ଚିଥିଲେ। ପରିବାରକୁ ପ୍ରବୋଧନା ଦେବା ସହ ସରକାରଙ୍କ ପଦକ୍ଷେପକୁ ନିନ୍ଦା କଲେ। ସରକାର ଏତେ ପ୍ରତିକ୍ରିୟାଶୀଳ କାହିଁକି ହେଉଛି ବିଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରଶ୍ନ କରିଛନ୍ତି।

ସେ କେବଳ ତାଙ୍କ ବନ୍ଧୁଙ୍କୁ ଅନୁଭୂତି କହିଛନ୍ତି, କଣ ବଡ଼ ଭୁଲ୍ କଲେ ବୋଲି ବିଜେପି ପ୍ରଶ୍ନ କରିଛି। ପ୍ରସାରଣ କରିଥିବା ଗଣମାଧ୍ୟମକୁ ସରକାର ଧନ୍ୟବାଦ ଦେବାକଥା। ଆଖି ଖୋଲିଥିବାରୁ ସରକାର ସେମାନଙ୍କୁ ସମ୍ବର୍ଦ୍ଧନା ଦେବା କଥା। ସରକାର ଏତେ ପ୍ରତିକ୍ରିୟାଶୀଳ ନହୋଇ, ନିଜ ତ୍ରୁଟି ସୁଧାରନ୍ତୁ ବୋଲି ଭୁବନେଶ୍ୱର ବିଜେପି ସଭାପତି ବାବୁ ସିଂହ କହିଛନ୍ତି।

ସାଧାରଣ ଲୋକଙ୍କ ବଞ୍ଚିବାର ଅଧିକାର ଛଡ଼ାଇ ନିଆଯାଇଛି। ଶହ ଶହ ଭିଡିଓ ଭାଇରାଲ ହେଉଛି, ଲକ୍ଷ ଲକ୍ଷ ଲୋକଙ୍କୁ ଗିରଫ କରନ୍ତୁ। ଲକ୍ଷ୍ମୀକାନ୍ତଙ୍କ ଉପରୁ ଦଫା ହଟାଇ ତୁରନ୍ତ ମୁକ୍ତ କରନ୍ତୁ କହିଲେ ବାବୁ ଦାବି କରିଛନ୍ତି।

You might also like