ରାଜ୍ୟରେ ଆଇନସେବା ସମ୍ପୂର୍ଣ୍ଣ ଅଚଳ, ଲୋକେ ହନ୍ତସନ୍ତ

ଆଇନସେବା ଅଚଳ ନେଇ ଗୃହରେ ଉଦ୍‌ବେଗ ପ୍ରକାଶ କଲେ ବିରୋଧୀ ଦଳ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଅଧିକାଂଶ ଜିଲ୍ଲାରେ କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ନା ଆଇନସେବା ମିଳୁଛି, ନା କୌଣସି ମାମଲାର ବିଚାର ହୋଇପାରୁଛି। ହାଇକୋର୍ଟ ଆଇନଜୀବୀଙ୍କୁ ପୁଲିସ୍‌ର ମାଡ଼ ଅଭିଯୋଗ ହେଉ କିମ୍ବା ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବି, ଜିଦ୍‌ରେ ଆଇନଜୀବୀ ଅଟଳ ଥିବାରୁ ଦୀର୍ଘ ଦିନ ହେଲାଣି ଅଧିକାଂଶ କୋର୍ଟ ବନ୍ଦ ରହିଛି। ଫଳରେ ଆଇନସେବା ନ ପାଇ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି।

୨୮ ତାରିଖରେ ହାଇକୋର୍ଟର ଜଣେ ଆଇନଜୀବୀଙ୍କୁ ପୋଲିସ୍‌ର ମାଡ଼ ଅଭିଯୋଗରେ ହାଇକୋର୍ଟ ବାର୍ ଆସୋସିଏସନ୍ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛି। ତୁରନ୍ତ ସଂପୃକ୍ତ ପୁଲିସ୍ କର୍ମଚାରୀଙ୍କୁ ଗିରଫ କରାଯାଉ ବୋଲି ସଂଘ ଦାବି କରିଛି। ଅନ୍ୟପଟେ ଏହି ଘଟଣାର ତଦନ୍ତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସଂଘର ଏହି ଦାବିକୁ ସମର୍ଥନ ଜଣାଇ ରାଜ୍ୟର ପ୍ରାୟ ୧୬୪ଟି ଓକିଲ ସଂଘ ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି।

ସେହିଭଳି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ସ୍ଥାପନ ଦାବିରେ ଧାରଣା ଏବଂ ବିକ୍ଷୋଭ ପରେ ୧୦ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି କେନ୍ଦ୍ରୀୟ କିୟାନୁଷ୍ଠାନ କମିଟି। ଫଳରେ ସମ୍ବଲପୁର ଜିଲ୍ଲା ସମେତ ଅନ୍ୟାନ୍ୟ ସ୍ଥାନରେ କୋର୍ଟ କାର୍ଯ୍ୟ ବନ୍ଦ ରହିଛି।

ରାଜ୍ୟରେ ଆଇନ୍‌ସେବାର ଏଭଳି ସ୍ଥିତିକୁ ନେଇ ଗୃହ ବାହାରେ ଏବଂ ଭିତରେ ବିରୋଧୀ ଦଳ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜ୍ୟରେ ବିଚାର ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଲାଣି, ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।

ସେହିପରି ବିଜେପି ବିଧାୟକ ଦଳ ନେତା କେଭି ସିଂଦେଓ ମଧ୍ୟ ଗୃହରେ ସରକାରଙ୍କୁ ଏ ସମ୍ପର୍କରେ ଯବାବ ମାଗିଛନ୍ତି। ସେ କହିଛନ୍ତି, କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ପୂର୍ଣ୍ଣାଙ୍ଗ ବିଧି ବ୍ୟବସ୍ଥା ସହ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରସଙ୍ଗ ପ୍ରସ୍ତାବ ପଠାଇବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ରାଜ୍ୟ ସରକାର ଏଯାଏଁ ଚୁପ୍ ବସିଛନ୍ତି। ସରକାର ଜଷ୍ଟିସ ସି.ଆର. ପାଲଙ୍କ ରିପୋର୍ଟ ବିଧାନସଭାରେ ପ୍ରକାଶ କରନ୍ତୁ ବୋଲି ସେ ଦାବି କରିଛନ୍ତି।

You might also like