ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ଆନ୍ଦୋଳନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଜୋର ଧରୁଛି ଓକିଲଙ୍କ ଆନ୍ଦୋଳନ। କାଲିଠୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ୨ ଦିନିଆ ମହାବନ୍ଦ ଡାକରା ଦେଇଛି। ଯେଉଁଥିରେ ସମ୍ବଲପୁର ଜିଲ୍ଳା ଓକିଲ ସଂଘ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବାର୍ ଆସୋସିଏସନ୍ ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନ ସାମିଲ ହେଉଛନ୍ତି।

ଜରୁରୀକାଳୀନ ସେବା ବ୍ୟତୀତ ଦୋକାନ ବଜାର, ଯାନବାହାନ ଚଳାଚଳ ଏବଂ ସମସ୍ତ ସରକାରୀ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରଖିବାକୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ନେଇଛି।

ହାଇକୋର୍ଟ ସ୍ଥାୟୀବେଞ୍ଚ୍ ପ୍ରତିଷ୍ଠା ଦାବିରେ କ୍ରମାଗତ ଆନ୍ଦୋଳନ ପରେ ଆସନ୍ତାକାଲିଠୁ ଦୁଇ ଦିନିଆ ମହାବନ୍ଦ ଡାକରାକୁ ଓହ୍ଲାଇଛି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି। ମହାବନ୍ଦକୁ ସମର୍ଥନ ପାଇଁ କିଛି ଅଞ୍ଚଳରେ ମାଇକ୍ ଜରିଆରେ ପ୍ରଚାର ମଧ୍ୟ କରାଯାଉଛି।

ଆଉ ବନ୍ଦ ପାଳନ ପୂର୍ବରୁ ଗତକାଲି ସମ୍ବଲପୁରରେ ଏବଂ ଆଜି ଝାରସୁଗୁଡ଼ା, ସୋନପୁର ଆଦି ସ୍ଥାନରେ ବାଇକ୍ ରାଲି କରିଛନ୍ତି ସ୍ଥାନୀୟ ଓକିଲ ସଂଘ। ଏହି ବନ୍ଦରେ ଜରୁରୀକାଳୀନ ସେବାକୁ ବାଦ୍ ଦେଇ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ସମେତ ଘରୋଇ ଓ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଏହି ବନ୍ଦ ଡାକରାରେ ଝାରସୁଗୁଡ଼ା, ସୋନପୁର, ବୀରମହାରାଜପୁର, ସୁନ୍ଦରଗଡ଼, ଦେବଗଡ଼ ଆଦି ବିଭିନ୍ନ ସ୍ଥାନର ଓକିଲ ସଂଘ ସାମିଲ ହୋଇଛନ୍ତି। ଏହାସହ କିଛି ସାମାଜିକ ସଂଗଠନ ଏବଂ ନାଗରିକ ମଞ୍ଚ ମଧ୍ୟ ସମର୍ଥନ ଜଣାଇଛନ୍ତି।

ଗତ ସେପ୍ଟେମ୍ବର ୫ରୁ ସମ୍ବଲପୁର କଚେରୀ ଛକରେ ରିଲେ ଅନଶନ ଓ ଧାରଣା ଦେଇଥିଲେ କ୍ରିୟାନୁଷ୍ଠାନ କମିଟି ସଦସ୍ୟ।  ଏହାପରେ ଗତ ୧୯ ତାରିଖରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଅଫିସକୁ ବନ୍ଦ ରଖିଛନ୍ତି ଆନ୍ଦୋଳନକାରୀ। ଅନ୍ୟପଟେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଏବଂ ମହାବନ୍ଦକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି।

ଅନ୍ୟପଟେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଏହି ମହାବନ୍ଦ ଡାକରାରେ ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ସାମିଲ ହେବନାହିଁ। ବରଂ ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚର ପୁନଃସ୍ଥାପନ ଦାବିରେ ଅାସନ୍ତା ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଓକିଲ ସଂଘ କାର୍ଯ୍ୟବନ୍ଦ ଅାନ୍ଦୋଳନ କରିବ ବୋଲି କହିଛି।

ତା’ ସହ ୩ ତାରିଖରେ ବଲାଙ୍ଗିର ଜିଲ୍ଲା ବନ୍ଦ ଏବଂ ୩ରୁ ୧୦ ତାରିଖ ପର୍ଯ୍ୟନ୍ତ କୋର୍ଟ କଚେରୀ ବନ୍ଦ କରାଯିବ ବୋଲି ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି କହିଛି।

 

You might also like