ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହେଲେ ଅଭିନେତା ବିଜୟ ମହାନ୍ତି। ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଛି। ଦାହ ସଂସ୍କାରରେ ମୁଖାଗ୍ନି ତାଙ୍କର ଜ୍ୱାଇଁ ଦେଇଛନ୍ତି। କୋଭିଡ୍ କଟକଣା ପାଇଁ ପରିବାରର ଅଳ୍ପ ସଦସ୍ୟ ଉପସ୍ଥିତ ଥିଲେ।
ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସହ ଅନ୍ତିମ ବିଦାୟ ଦିଆଯାଇଥିଲା। ତାଙ୍କର ପାର୍ଥିବ ଶରୀରକୁ ମେଡିକାଲରୁ ବମିଖାଲସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ଅନେକ ପ୍ରଶଂସକ, ଶୁଭେଚ୍ଛୁ ଓ ପରିବାର ବର୍ଗ ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ।
ଏଥିସହ ଓଲିଉଡ଼୍ର ଅନେକ କଳାକାର ମଧ୍ୟ ବିଜୟଙ୍କ ଶେଷ ଦର୍ଶନ କରିଥିଲେ । ଏହାପରେ ବିଜୟଙ୍କ କର୍ମମୟ ଜୀବନ ବିତିଥିବା ଉତ୍କଳ ସଂଗୀତ ମହାବିଦ୍ୟାଳୟକୁ ନିଆଯାଇଥିଲା। ସେଠାରେ ଅନେକ ଓଲିଉଡ୍ କଳାକାର ଓ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏଥିସହ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।
ଶହ ଶହ ପ୍ରଶଂସକ ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କୁ ଶେଷ ସମ୍ମାନ ଜଣାଇଥିଲେ। ସୂଚନାଥାଉକି, ଗତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ବିଜୟଙ୍କର ଦେହାନ୍ତ ହୋଇଥିଲା ।