ଏମ୍‌ସିଏଲ୍‌ କୋଇଲା ଖଣିରେ ମାଟି ଧସିବା ଘଟଣା: ଏବେବି ଫସି ରହିଛନ୍ତି ୩ଜଣ

ଅନୁଗୁଳ: ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଏବେବି ୩ଜଣ ଶ୍ରମିକ ନିଖୋଜ ଅଛନ୍ତି। ମାଟି ତଳେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ତେବେ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ଅସୁବିଧା ସୃଷ୍ଟି ହୋଇଛି।

ଏନ୍‌ଡିଆର୍‌ଏଫର ୩୦ଜଣିଆ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ମାଟି ତଳେ ଦବି ରହିଥିବା ଶ୍ରମିକଙ୍କ ବଞ୍ଚିବା ଆଶା କ୍ଷୀଣ ବୋଲି ଗତକାଲି ଜିଲ୍ଲାପାଳ ଆଶଙ୍କା କରିଥିଲେ। ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିବା ୯ ଶ୍ରମିକଙ୍କର ଚିକିତ୍ସା ଚାଲିଛି। ପୂର୍ବରୁ ମାଟି ତଳୁ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି।

ଅନ୍ୟପକ୍ଷରେ ମୃତାହତଙ୍କୁ କ୍ଷତିପୂରଣ ସହ ଖଣିରେ ଶ୍ରମିକ ସୁରକ୍ଷାକୁ ଅଗ୍ରାଧିକାର ନେଇ ଆନ୍ଦୋଳନ ହୋଇଥିବା ବେଳେ ଖଣି କର୍ତ୍ତୃପକ୍ଷ ସବୁ ପ୍ରକାର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଥାଉ କି, ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ଏମସିଏଲ୍‌ର ଭରତପୁର କୋଇଲା ଖଣିରେ ସିଫ୍ଟ ବଦଳ ସମୟ ହୋଇଥିବାରୁ କିଛି ଶ୍ରମିକ ବାହାରୁଥିଲେ। ଆଉ କିଛି ପ୍ରବେଶ କରୁଥିଲେ। ଏହି ସମୟରେ ହଠାତ୍ ଖଣିରେ ବ୍ଲାଷ୍ଟିଂ ଯୋଗୁ ଆଖି ପିଛୁଳାକେ ପାହାଡ଼ ସଦୃଶ ମାଟି ଧସି ହୋଇଯାଇଥିଲା। ଯାହା ଫଳରେ ଏହି ମାଟି ତଳେ ୧୩ରୁ ଅଧିକ ଶ୍ରମିକ ଚାପି ହୋଇଯାଇଥିଲେ।

ଭରତପୁର କୋଇଲା ଖଣି ଅଘଟଣ ପ୍ରସଙ୍ଗ ବିଧାନସଭାରେ ଉଠିଛି।  ନିଲମ୍ବନ କି କ୍ଷତିପୂରଣ ଦେଲେ ହେବନି, ଏମସିଏଲ୍‌ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉନି ବୋଲି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରଶ୍ନ ଉଠାଇଥିଲେ।

You might also like