କୋଇଲା ଖଣିରେ ମାଟି ଧସିବା ଘଟଣା: ୨ ଜଣଙ୍କ ମୃତଦେହ ଉଦ୍ଧାର, ଏବେବି ଜଣେ ନିଖୋଜ
ଅନୁଗୁଳ(ବିରଜା ପ୍ରସାଦ ଦାଶ): ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଆଜି ୨ଜଣଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତକଦ୍ୱୟ ହେଲେ ଶିବରାମପୁରର ରାଜକିଶୋର ମହାପାତ୍ର ଓ ଗୋବରା ଗାଁର ରଶ୍ମି ରଞ୍ଜନ ବେହେରା।
ରାଜକିଶୋର ପମ୍ପ୍ ଅପରେଟର୍ ଓ ରଶ୍ମି ରଞ୍ଜନ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ।
ବର୍ତ୍ତମାନ ସୁଦ୍ଧା ୩ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେବି ଆଉ ଜଣେ ନିଖୋଜ ଅଛନ୍ତି।ସେ ହେଲେ ସିକ୍ୟୁରିଟି ଗାର୍ଡ ରମେଶ ଦାଶ। ରମେଶଙ୍କ ଘରେ ନକେଇ ପଶି ଗାଁରେ। ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍ର ୩୦ଜଣିଆ ଟିମ୍ ଲାଗିଛନ୍ତି।
ଆଜି ମାଟି ତଳୁ ଏକ କଟା ଗୋଡ଼ ଉଦ୍ଧାର କରାଯାଇଥିଲା। ତେବେ ଏହି କଟା ଗୋଡ଼ଟି ରଶ୍ମି ରଞ୍ଜନଙ୍କର ବୋଲି ଜଣାପଡ଼ିଛି।
ବୁଧବାର ଦିନ ଟ୍ରକ୍ ଡ୍ରାଇଭର ପୁପୁନ ବିଶ୍ୱାଳଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।
ଅନ୍ୟପକ୍ଷରେ ଖଣି ସୁରକ୍ଷା ଦାବିରେ ଆଜି ବିଜେପି ପକ୍ଷରୁ ଖଣି ବନ୍ଦ ଆନ୍ଦୋଳନ କରାଯାଇଛି। ଖଣି ବନ୍ଦ ଯୋଗୁ କୋଇଲା ଉତ୍ତୋଳନ ଓ ପରିବହନ ପୂରା ଠପ୍ ହୋଇ ଯାଇଛି।
ସୂଚନାଥାଉ କି, ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ଏମସିଏଲ୍ର ଭରତପୁର କୋଇଲା ଖଣିରେ ସିଫ୍ଟ ବଦଳ ସମୟ ହୋଇଥିବାରୁ କିଛି ଶ୍ରମିକ ବାହାରୁଥିଲେ। ଆଉ କିଛି ପ୍ରବେଶ କରୁଥିଲେ। ଏହି ସମୟରେ ହଠାତ୍ ଖଣିରେ ବ୍ଲାଷ୍ଟିଂ ଯୋଗୁ ଆଖି ପିଛୁଳାକେ ପାହାଡ଼ ସଦୃଶ ମାଟି ଧସି ହୋଇଯାଇଥିଲା। ଯାହା ଫଳରେ ଏହି ମାଟି ତଳେ ୧୩ରୁ ଅଧିକ ଶ୍ରମିକ ଚାପି ହୋଇଯାଇଥିଲେ।ସାଙ୍ଗେ ସାଙ୍ଗେ ୯ ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।