ମ୍ୟାଜିକ୍‌ ପେନ୍‌ରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ଏଟିଏମ୍‌ ଲୁଟ୍‌, ସୁନା ଅଳଙ୍କାର, ଟଙ୍କା, ବାଇକ୍‌, ମୋବାଇଲ୍‌ ଇତ୍ୟାଦି ଲୁଟ୍‌ ଚାଲିଥିବା ବେଳେ ଏହା ଭିତରେ ଲୁଟେରାମାନେ ଲୁଟ୍‌ ପାଇଁ ଆଉ ଏକ ଅଭିନବ ଉପାୟ ଆପଣାଇଛନ୍ତି।

ମ୍ୟାଜିକ୍‌ ପେନ୍‌ରେ ଚାଲିଛି ଲକ୍ଷାଧିକ ଟଙ୍କା ଲୁଟ୍‌। ଆପଣ ନିଶ୍ଚୟ ଭାବୁଥିବେ କି ମ୍ୟାଜିକ୍‌ ପେନ୍‌ରେ କେମିତି କେହି ଜଣେ ଲୁଟ୍‌ କରିପାରିବ। ତାହା ବି ପୁଣି ଲକ୍ଷାଧିକ ଟଙ୍କା। ତେବେ ପଢ଼ନ୍ତୁ ଏହି ଘଟଣା।

ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଜଗନ୍ନାଥ ଗ୍ରାଫିକ୍ସର ମାଲିକ ରଞ୍ଜନ କୁମାର ମଲ୍ଲ ଏଭଳି ଠକେଇର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି। ରଞ୍ଜନଙ୍କ ଅଭିଯୋଗ ଅନୁଯାୟୀ କିଛିଦିନ ତଳେ ଜଣେ ଓଡ଼ିଆ ଯୁବକ ଫୋନ୍‌ କରି ନିଜକୁ ବ୍ୟାଙ୍କ୍‌ ମ୍ୟାନେଜର ବୋଲି କହି ଲୋନ୍‌ କରାଇ ଦେବେ ବୋଲି କହିଥିଲେ। ତା’ପରେ ଜଣେ ଯୁବକ ରଞ୍ଜନଙ୍କ ନିକଟକୁ ଆସିଥିଲେ ଓ ନିଜକୁ ବ୍ୟାଙ୍କ୍‌ ମ୍ୟାନେଜର ବୋଲି ପରିଚୟ ଦେଇଥିଲେ।

ତାଙ୍କର ବ୍ୟବସାୟ ଭଲ ଚାଲିଥିବାରୁ ବ୍ୟାଙ୍କ୍‌ ପକ୍ଷରୁ ୧୦ ଲକ୍ଷ ଟଙ୍କା ସିସି ଋଣ ମିଳି ପାରିବ ବୋଲି ଯୁବକ ଜଣକ କହିଥିଲେ। ଏଥିପାଇଁ ତାଙ୍କୁ ଦେଢ଼ ଲକ୍ଷ ଟଙ୍କାର ବ୍ୟାଙ୍କ୍‌ ବାଲାନ୍ସ ଥିବା ଏକ କ୍ୟାନ୍‌ସେଲ୍‌ ଚେକ୍‌ ଦେବାକୁ ପଡ଼ିବ।  ରଞ୍ଜନ ଚେକ୍‌ ଦେବାପରେ ଠକ ଜଣଙ୍କ ଚେକ୍‌ଟିକୁ କ୍ୟାନ୍‌ସେଲ୍‌ ଚେକ୍‌ ଲେଖିବାକୁ ନିଜର ପେନ୍‌ ଦେଇଥିଲେ। ପରେ ରଞ୍ଜନ ଜାଣିବାକୁ ପାଇଥିଲେ ଯେ ତାଙ୍କ ଆକାଉଣ୍ଟ୍‌ରୁ ଦେଢ଼ ଲକ୍ଷ ଟଙ୍କା ଉଠାଯାଇଛି।

ଏନେଇ ରଞ୍ଜନ ବ୍ୟାଙ୍କରେ ପଚରାଉଚରା କରିବା ପରେ ଜଣାପଡ଼ିଥିଲା ଯେ, ସେହି ଠକଜଣକ ଯିଏକି ନିଜକୁ ବ୍ୟାଙ୍କ୍‌ ମ୍ୟାନେଜର୍‌ କହି ତାଙ୍କ ନିକଟକୁ ଆସିଥିଲେ ଚେକ୍‌ ମାଧ୍ୟମରେ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଛନ୍ତି। ବ୍ୟାଙ୍କରେ ନିଜକୁ ପ୍ରଦୀପ୍ତ ବାନାର୍ଜୀ ବୋଲି ପରିଚୟ ଦେବା ସହ ପରିଚୟ ପ୍ରମାଣପତ୍ରରେ ନିଜର ପ୍ୟାନ୍‌କାର୍ଡ ଜେରକ୍ସ ଦେଇ ଠକ ଜଣକ ଟଙ୍କା ଉଠାଇ ଥିବା ଜଣାପଡ଼ିଛି। ରଞ୍ଜନ ଦେଇଥିବା କ୍ୟାନ୍‌ସେଲ୍‌ ଚେକ୍‌ରେ ରଞ୍ଜନଙ୍କ ନାଁ ଲେଖା ଯାଇନାହିଁ। ଏଥିସହ ରଞ୍ଜନ ଆହୁରି ମଧ୍ୟ ଜାଣିବାକୁ ପାଇଥିଲେ ଯେ, ଠକ ଜଣକ ଦସ୍ତଖତ କରିବା ପାଇଁ ଦେଇଥିବା ପେନ୍‌ଟି ମ୍ୟାଜିକ୍‌ ପେନ୍‌ ଥିଲା। ଯାହା ମାଧ୍ୟମରେ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିଲା।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

You might also like