ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀରେ ପ୍ରବଳ ଜନ ସମାଗମ

ପୁରୀ : ନୂଆ ବର୍ଷ ୨୦୧୯ର ପ୍ରଥମ ସୂର୍ଯ୍ୟୋଦୟ। ପୁରୀ ମହୋଦଧିରେ ସକାଳୁ ସକାଳୁ ସ୍ନାନ ସହିତ ଉଦିତ ସୂର୍ଯ୍ୟଙ୍କୁ ଦେଖି ନୂଆ ବର୍ଷ ଆରମ୍ଭ କରିଛନ୍ତି ପର୍ଯ୍ୟଟକ। ଲକ୍ଷାଧିକ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରି ତାଙ୍କ ଆଶିଷ ଲାଭ କରିଛନ୍ତି।

ଲକ୍ଷାଧିକ ଭକ୍ତ ଆଜି ପୁରୀ ଆସିଥିଲେ। ନୂଆ ବର୍ଷରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିଲା ବ୍ୟାପକ ବ୍ୟବସ୍ଥା।  ରାତି ୧୨ଟା ୫୦ରୁ ଦ୍ୱାର ଫିଟା ହୋଇଥିଲା। ଏହା ପରେ ପରେ ଆରମ୍ଭ ହୋଇଥିଲା ଦର୍ଶନ।

ଭକ୍ତଙ୍କ ସୁବିଧା ପାଇଁ ରାତି ୧୧ଟା ପରେ ପହୁଡ଼ ପଡ଼ିବ। ସୁରକ୍ଷା ପାଇଁ ପୁରୀରେ ୪୫ ପ୍ଲାଟୁନ ଫୋର୍ସ ମୁତୟନ ସହିତ ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ, ତା ଉପରେ ଗୁରୁତ୍ୱ ଦିଆଯାଇଛି। ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୁରୀ ଯାଇଥିଲେ। ସେ ଶ୍ରୀମନ୍ଦିର ଭିତରକୁ ନଯାଇ ସିଂହଦ୍ୱାର ଗୁମୁଟରେ ଥିବା ପତିତପାବନଙ୍କୁ ଦର୍ଶନ କରିଥିଲେ।

ଏହା ପରେ ସ୍ୱର୍ଗଦ୍ୱାର ଯାଇ ବିଜୁ ପଟ୍ଟନାୟକ ସ୍ମୃତିପୀଠରେ ପୁଷ୍ପମାଲ୍ୟ ଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ ନବୀନ। ଏହି ଅବସରରେ ରାଜ୍ୟବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

You might also like