ଖାକି ମଣିଷର ଦରଦୀ ମନ, ନିଜେ ନ ଖାଇ ଅସହାୟ ବୃଦ୍ଧାଙ୍କୁ ଖୁଆଇଲେ

ମାଲକାନଗିରି: ଖାକି ପୋଷାକ ଆଉ  ହାତରେ ରୁଲବାଡି ଧରିଥିବା ପୋଲିସ  ନିର୍ଦ୍ଦୟ, ନିଷ୍ଠୁର…କେବଳ କର୍ତ୍ତବ୍ୟର ଡୋରୀରେ ବନ୍ଧା। ଏମିତି ଏକ ଚିନ୍ତାଧାରା ଅଧିକାଂଶ ଲୋକଙ୍କ ମନରେ ଥାଏ।  ସେମାନଙ୍କ ପାଖରେ ବି ସ୍ନେହ, ଶ୍ରଦ୍ଧା, ସହନୁଭୂତି ରହିଛି ଏକଥା ଭାବିବାକୁ ଅବସର ହିଁ ମିଳେନି। ହେଲେ ମାଲକାନଗିରିର ଏଇ ମହିଳା ପୋଲସ ଅଫିସରଙ୍କ  ଖାକି ପୋଷାକ ତଳେ ଲୁଚି ରହିଥିବା ଦରଦୀ ହୃଦୟକୁ ଦେଖନ୍ତୁ । କର୍ତ୍ତବ୍ୟକୁ ଭୁଲି ନାହାନ୍ତି, ହୃଦୟର ମାନବୀୟ ଆବେଦନକୁ ବି ଏଡାଇ ପାରିନାହାନ୍ତି। ତେଣୁ ଡ୍ୟୁଟି ସମୟରେ ଅସହାୟ ବୃଦ୍ଧାଙ୍କୁ ଭୋକିଲା ଦେଖି ନିଜ ଖାଦ୍ୟ ଦେଉଛନ୍ତି।  ଏନେଇ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି।

ମାଲକାନଗିରି ଜିଲ୍ଲା ପଦ୍ମଗିରି ଛକ ନିକଟରେ ଡ୍ୟୁଟି କରୁଛନ୍ତି ଏସ୍‌ଆଇ  ଶୁଭଶ୍ରୀ ନାୟକ।। ଛତିଶଗଡ଼ ଅଞ୍ଚଳରୁ କାଳେ ମାଲକାନଗିରିକୁ ଲୋକେ ପଶି ଆସିବେ ତେଣୁ ଏଠାରେ ଏସ୍‌ଆଇ  ଶୁଭଶ୍ରୀ ନାୟକଙ୍କ ସହ କିଛି  ପୁଲିସ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଲକ୍‌ଡାଉନ୍ ସମୟରେ ଧୁ ଧୁ ଖରାରେ ବି ଏମାନେ ନିଜର ଡ୍ୟୁଟି କରୁଛନ୍ତି।

ଗତକାଲି ଦ୍ୱିପହରରେ ଶୁଭଶ୍ରୀ ଖାଇବାକୁ ଯାଉଥିଲେ। ଏହି  ସମୟରେ ଜଣେ ଅସହାୟ ବୃଦ୍ଧା  ଚାଲି ଚାଲି ଯାଉଥିବା ଦେଖିବାକୁ ପାଇଲେ । ଏହା ଦେଖି ସେ ବୃଦ୍ଧାଙ୍କୁ  ଖାଦ୍ୟ ଖାଇଥିବା କଥା ପଚାରି ବୁଝିଥିଲେ। ହେଲେ ବୃଦ୍ଧା ଜଣକ କିଛି ଖାଇ ନଥିବା କହିଥିଲେ। ଏହାଦେଖି ଶୁଭଶ୍ରୀଙ୍କ ମନ ବିଚଳିତ ହୋଇଯିବାରୁ  ତୁରନ୍ତ  ସେ  ନିଜ ଖାଦ୍ୟରୁ ତାଙ୍କୁ  ଦେଇଥିଲେ। ତେବେ ବୃଦ୍ଧା ଜଣକ ନିଜେ ଖାଇ ନପାରିବାରୁ ସେ ନିଜ ହାତରେ ବୃଦ୍ଧାଙ୍କୁ ଖାଦ୍ୟ ଖୁଆଇ ଦେଇଥିଲେ।  ଏହି ଖବର ପ୍ରଚାର ହେବା ପରେ ଏସ୍‌ଆଇ ଶୁଭଶ୍ରୀଙ୍କୁ  ବିଭିନ୍ନ  ମହଲରୁ  ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରାଯାଇଛି।

You might also like