ଏବେବି ରହସ୍ୟଘେରରେ ସ୍ମିତାରାଣୀଙ୍କ ମୃତ୍ୟୁ: ବିଜେପି ଆଣିଲା ସାଂଘାତିକ ଅଭିଯୋଗ, କଂଗ୍ରେସ କହିଲା…

ଭୁବନେଶ୍ୱର: ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ପୁଲିସ ଓ ସରକାରଙ୍କୁ ସିଧା ଟାର୍ଗେଟ କରିଛି ବିଜେପି। ମୃତ ସ୍ମିତାରାଣୀଙ୍କର କେବଳ ବ୍ୟକ୍ତିଗତ ଜୀବନକୁ ନେଇ ତଦନ୍ତ ହୋଇଛି, କିନ୍ତୁ ତାଙ୍କ ବୃତ୍ତିଗତ ଜୀବନକୁ ନେଇ ପୁଲିସ କିଛି ତଦନ୍ତ କରିନି ବୋଲି ବିଜେପି ଅଭିଯୋଗ କରିଛି।

ସ୍ମିତାଙ୍କ ସ୍ୱାମୀଙ୍କ ଅଭିଯୋଗ ମୁତାବକ, ତାଙ୍କ ଉପରେ ବୃତ୍ତିଗତ ଚାପ ଥିଲା। PMAY, ଭତ୍ତା ଆଦିକୁ ନେଇ ସ୍ମିତାରାଣୀଙ୍କ ଉପରେ ଚାପ ରହିଥିଲା ବୋଲି ଗତକାଲି ସ୍ମିତାଙ୍କ ସ୍ୱାମୀ ଗଣମାଧ୍ୟମକୁ କହିଥିଲେ। ତେବେ ଏନେଇ ସରକାର ସଂପୂର୍ଣ୍ଣ ନିରବତା ଅବଲମ୍ବନ କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଜଣେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ବିଡିଓ ଥାନାରେ ଏତଲା ଦେବା କଥା। କିନ୍ତୁ ପ୍ରଶାସନ ପକ୍ଷରୁ ଏହି ମାମଲାରେ କେହି ଏତଲା ଦେଇନାହାନ୍ତି। ତେଣୁ ଏହା ଏକ ସମ୍ବେଦନହୀନ ସରକାର ବୋଲି କହିଛନ୍ତି ସମୀର।

ସେପଟେ ବିଜେପିର ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସମୀର ଦାଶ। ସେ କହିଛନ୍ତି ଆଇନଠୁ ଊର୍ଦ୍ଧ୍ୱରେ କେହି ନୁହନ୍ତି। ଏହି ଘଟଣାକୁ ନେଇ ରାଜନୀତି କରିବା ଉଚିତ ନୁହେଁ। କିଛି ତଥ୍ୟ ଥିଲେ ତଦନ୍ତକାରୀ ସଂସ୍ଥାକୁ ଦେଲେ ଭଲ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଥିବା ଗେଷ୍ଟ ହାଉସ୍‌କୁ ନେଇ ମଧ୍ୟ ବିବାଦ ଥମୁନି। ବିଜେପି ଏହାକୁ ରଙ୍ଗମହଲ ବୋଲି ଆଖ୍ୟା ଦେବା ସହ ଏହାର ବିଶେଷ କୋଠରୀକୁ କିଏ ବ୍ୟବହାର କରୁଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି।  ସେହିଭଳି କଂଗ୍ରେସ୍‌ କହିଛି, ଗେଷ୍ଟ ହାଉସ୍‌ଟି ଜଙ୍ଗଲ ଜମିରେ ନିର୍ମାଣ କରାଯାଇଥିଲା। ସରକାରୀ କଳର ପ୍ରୋତ୍ସାହନରେ ରୂପେଶ ବେଆଇନ୍ ଭାବେ ଏହି ଗେଷ୍ଟ ହାଉସ୍‌ଟି ନିର୍ମାଣ ହୋଇଥିଲା। ତେଣୁ ଏହାକୁ ଭାଙ୍ଗିଦେବା ସହିତ ସରକାର ସେହି ଜମିକୁ ନିଜ ଅକ୍ତିଆରକୁ ନେବାକୁ କଂଗ୍ରେସ୍  ଦାବି କରିଛି। ଏପଟେ ବିବାଦ ଉପୁଜିବା ପରେ ତହସିଲଦାରଙ୍କ ଉପସ୍ଥିତିରେ ସେହି ଯାଗାର ମାପଚୁପ କରାଯାଇଛି। ଜିଲ୍ଲାପାଳ କହିଛନ୍ତି ଗେଷ୍ଟ ହାଉସ୍ ସଂପର୍କରେ ତଦନ୍ତ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ତଦନ୍ତ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।

ସେପଟେ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି  ଆଜି ଯାଜପୁର ଏସ୍‌ପି ଅଫିସ ଘେରାଉ କରିଛି ମହିଳା କଂଗ୍ରେସ। ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ରୀତାଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଶତାଧକ କର୍ମୀ ପାଣିକୋଇଲିସ୍ଥିତ ଏସ୍‌ପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଏହି ଘଟଣାରେ ସିବିଆଇ ତଦନ୍ତ ଓ ଏସପିଙ୍କୁ ହଟାଇବାକୁ ଦାବି କରିଛନ୍ତି।

You might also like