ମୋ ସିନ୍ଦୂର ଉପରେ ତାର ନଜର ଥିଲା….

ଯାଜପୁର : ଯାଜପୁର PEO ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାରେ ଟୁଇଷ୍ଟ। ଓଟିଭି ଆଗରେ ପ୍ରଥମ ଥର ପାଇଁ ମୁହଁଖୋଲିଲେ ହରିଦାସପୁର ସରପଞ୍ଚ ମଧୁସ୍ମିତା ଭଦ୍ର। ନିଜ ସ୍ୱାମୀଙ୍କୁ ନିର୍ଦ୍ଦୋଷ କହିଥିବା ବେଳେ ସ୍ମିତାରାଣୀଙ୍କ  ପରିବାକୁ ପାଲଟା ଦାୟୀ କରିଛନ୍ତି।

ନିଜ ସ୍ୱାମୀଙ୍କୁ ନିର୍ଦ୍ଦୋଷ କହି ଏମିତି ଢଙ୍ଗରେ ସ୍ମିତାରାଣୀଙ୍କୁ ଦାୟୀ କରିଛନ୍ତି ଗିରଫ ରୁପେଶଙ୍କ ପତ୍ନୀ ତଥା ହରିଦାସପୁର ସରପଞ୍ଚ ମଧୁସ୍ମିତା ଭଦ୍ର। ମଧୁସ୍ମିତାଙ୍କ ଅଭିଯୋଗ, ସ୍ମିତାରାଣୀ ନାରୀ ହୋଇ ବି ଅନ୍ୟ ଜଣେ ନାରୀର ସିନ୍ଦୂର ଉପରେ ଲୋଭ କରିଥିଲେ। ସ୍ୱାମୀ ରୁପେଶଙ୍କ ସଂପତ୍ତି ଉପରେ ବି ସ୍ମିତାରାଣୀଙ୍କ ଆଖି ଥିଲା ବୋଲି କହିଛନ୍ତି ମଧୁସ୍ମିତା।

ତେବେ ପୂର୍ବରୁ ଦୁଇ ପରିବାର ଭିତରେ ଭଲ ସଂପର୍କ ଥିଲା ଓ ସେମାନେ ଅନେକ ବାର ବାହାରକୁ ବୁଲିବାକୁ ଯାଉଥିଲେ ବୋଲି  ସେ କହିଛନ୍ତି। ତେବେ ନିଜ ଝିଅ ବିରୋଧରେ ସରପଞ୍ଚଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ମିତାରାଣୀଙ୍କ ବାପା।

ଏପଟେ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ବିବାଦ ବଢୁଛି ଯଦିଓ ଯାଜପୁର ଏସ୍‌ପି ଏହାକୁ  ଆତ୍ମହତ୍ୟା ବୋଲି କହି ଏଥିରେ ରୁପେଶଙ୍କ ସହ ସଂପର୍କର ଥିଓରୀର ଅବତାରଣା କରିଥିଲେ, ତେବେ ଏହାକୁ ଗ୍ରହଣ କରୁନାହାଁନ୍ତି ତାଙ୍କ ପରିବାର ଲୋକେ।

ବିଜେପି ଓ କଂଗ୍ରେସ ଏ ନେଇ ପ୍ରଶ୍ନ କରିଛନ୍ତି ଜଣେ ଅଭିଯୁକ୍ତର ବୟାନକୁ କିପରି ଦୋହରାଇଲେ ଏସ୍‌ପି। ଏସ୍‌ପି ତଦନ୍ତକୁ ପ୍ରଭାବିତ କରିବା ସହ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ଆଜି ଡିଜିଙ୍କ ପାଖରେ ଫେରାଦ ହୋଇଛି ବିଜେପିର ଟିମ୍ । ବିଜେଡି ଲିଙ୍କକୁ ଲୁଚାଇବା ପାଇଁ ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବାକୁ ଏସ୍‌ପି ଉଦ୍ୟମ କରୁଥିବା ବି ଅଭିଯୋଗଆଣିଛନ୍ତି ବିରୋଧୀ। ତେବେ ରୁପେଶଙ୍କ ସହ ବିଜେପି ନେତା ସଜ୍ଜନ ଶର୍ମାଙ୍କ ଫଟୋକୁ ନେଇ ବି କଂଗ୍ରେସ ବିଜେପିକୁ ଟାର୍ଗେଟ କରିଥିବା ବେଳେ ଏସପିଙ୍କ ତଦନ୍ତକୁ ନେଇ ପ୍ରଶ୍ନ କରିଛି।

ହରିଦାସପୁର ସରପଞ୍ଚଙ୍କ ଅଭିଯୋଗ ଘଟଣାରେ ପୁଣି ନୂଆ ମୋଡ ଆଣିଥିବା ବେଳେ ପ୍ରମାଣ ନଷ୍ଟ ଓ ଅଭିଯୁକ୍ତମାନଙ୍କୁ ପୁଲିସ ଘଣ୍ଟ ଘୋଡାଇବା ପ୍ରତିବାଦରେ ଆସନ୍ତା କାଲି ଯାଜପୁର ବନ୍ଦ ଡାକରା ଦେଇଛି ବିଜେପି।

You might also like