ନବୀନ ନିବାସରେ ଓଟିଭି ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର

ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଉପରୁ ନିର୍ଦ୍ଦେଶ ଥିବା କହି ବଳପୂର୍ବକ ରୋକିଲେ ସୁରକ୍ଷା କର୍ମୀ

ଭୁବନେଶ୍ୱର : ଓଟିଭି ସାମ୍ବାଦିକାଙ୍କୁ ନବୀନ ନିବାସରେ ଦୁର୍ବ୍ୟବହାର। ସୁରକ୍ଷାକର୍ମୀଙ୍କ ଠେଲାପେଲା। ଓଟିଭି ପ୍ରତିନିଧି ଅର୍ଚ୍ଚନା ଶତପଥୀ ଆଜି ଖବର ସଂଗ୍ରହ ଲାଗି ନବୀନ ନିବାସକୁ ଯାଇଥିବା ବେଳେ ତାଙ୍କୁ ଗେଟ୍ ଭିତରକୁ ଛଡ଼ାଯାଇ ନଥିଲା।

ଗେଟ୍‌ରେ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ ଅର୍ଚ୍ଚନା ଓ ଭିଡିଓ ଜର୍ଣ୍ଣାଲିଷ୍ଟ ସନ୍ତୋଷ ତରାଇଙ୍କୁ ଅଟକାଇଥିଲେ। ଗତକାଲି କଂଗ୍ରେସ ଛାଡିଥିବା ପ୍ରଣୟ ସାହୁ ଆଜି ବିଜେଡିରେ ଯୋଗଦେବା ଲାଗି ନବୀନ ନିବାସ ଆସିଥିଲେ।

ଏ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ହ୍ୱାଟସ୍ ଆପ୍ ଗ୍ରୁପ୍‌ରେ ସୂଚନା ଦିଆଯାଇଥିଲା। ଏହି ସୂଚନା ଆଧାରରେ ଓଟିଭି ପ୍ରତିନିଧି ଅନ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ନବୀନ ନିବାସ ଯାଇଥିଲେ। ତେବେ ସେଠାରେ ତାଙ୍କୁ ଦୁର୍ବ୍ୟବହାର କରାଯିବା ସହ ଭିତରକୁ ଛଡ଼ାଯାଇନଥିଲା। ଏନେଇ ଉପରୁ ନିର୍ଦ୍ଦେଶ ଥିବା ସୁରକ୍ଷାକର୍ମୀ କହିଥିଲେ।

ସେପଟେ ଘଟଣା ସଂପର୍କରେ ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦଙ୍କୁ ପଚରାଯିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ। ତେବେ ଓଟିଭିର ପ୍ୟାନେଲ ଡିସକସନକୁ ବୟକଟ୍ କରିବା ଲାଗି ଗତବର୍ଷ ମାର୍ଚ୍ଚ ୨୧ ତାରିଖରେ ବିଜେଡି ଘୋଷଣା କରିଥିଲା।

ଏଠାରେ ଆମେ କହି ରଖୁଛୁ ଯେ, ଏହା ସତ୍ତ୍ୱେ ନବୀନ ନିବାସ ଓ ନବୀନ ନିବାସ ବାହାରେ ବିଜେଡିର ଯେକୌଣସି କାର୍ଯ୍ୟକ୍ରମକୁ ଓଟିଭି ଟିକିନିଖି ଭାବେ କଭରେଜ୍ ଦେବା ସହ ନିରପେକ୍ଷ ଭାବେ ପ୍ରସାରଣ କରିଆସୁଛି।

ତେବେ କିଛି ଦିନ ହେଲା ଦଳୀୟ କାର୍ଯ୍ୟକ୍ରମ ସମୟରେ ବି ଓଟିଭି ପ୍ରତିନିଧିଙ୍କୁ ନବୀନ ନିବାସରେ ପ୍ରବେଶ ଲାଗି ଅନୁମତି ଦିଆଯାଉନାହିଁ। ଏଠାରେ ପ୍ରଶ୍ନ ଉଠୁଛି, ଏହା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନା ଦଳର କିଛି ନେତା ତାଙ୍କ ଅଗୋଚରରେ ଏଭଳି କରୁଛନ୍ତି,  ଏଥିପାଇଁ କାହାର ନିର୍ଦ୍ଦେଶ ରହିଛି ଓ ଏହା  ପଛରେ କି ଉଦ୍ଦେଶ୍ୟ ରହିଛି, ତାକୁ ନେଇ ବି ପ୍ରଶ୍ନ ଉଠିଛି। ଏହା ଦ୍ୱାରା ରାଜ୍ୟର ସବୁଠୁ ଅଧିକ ଲୋକପ୍ରିୟ ନ୍ୟୁଜ୍ ଚ୍ୟାନେଲ ଓଟିଭିର ଉଦ୍ଦେଶ୍ୟମୂଳକ ଭାବେ କଣ୍ଠରୋଧ କରାଯାଉନାହିଁ କି?

You might also like