ନିର୍ବାଚନ ପରେ ନେତା ପ୍ରତିଶ୍ରୁତି ପାଳନ କରୁନଥିବା ଅଭିଯୋଗ

ବ୍ରହ୍ମପୁର(ଆଲୋକ ଗୌଡ): ନିର୍ବାଚନ ପରେ ନିର୍ବାଚନ ଆସୁଛି। ପ୍ରାର୍ଥୀମାନେ ଜନସାଧାରଣଙ୍କୁ ଅନେକ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ନିର୍ବାଚନ ସରିବା ପରେ ସେମାନେ ନାଁ ପ୍ରତିଶ୍ରୁତି ପାଳନ କରୁଛନ୍ତି ନା ଲୋକଙ୍କ ଦୁଃଖ ବୁଝୁଛନ୍ତି। ଗଂଜାମ ଜିଲ୍ଲା ପୋଲସରା ବ୍ଲକ୍‌ ପାଣ୍ଡିରିପଡ଼ା ପଞ୍ଚାୟତର ଅନେକ ଗ୍ରାମବାସୀ ପାନୀୟ ଜଳ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଗମନାଗମନ ଆଦି ଅନେକ ଅସୁବିଧା ଦେଇ ଗତି କରୁଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ଦାବି ପୂରଣ ନେଇ ପ୍ରତିଶ୍ରୁତି ନଦେଲେ ଗ୍ରାମବାସୀ ଭୋଟ୍‌ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। 

ପୋଲସରା ବ୍ଲକ୍‌ ମାଳବିରିପୁର ଗାଁରେ ପ୍ରାୟ ୫୦ରୁ ଅଧିକ ଆଦିବାସୀ ପରିବାର ବସବାସ କରନ୍ତି। ପାହାଡ଼ ପର୍ବତ ଘେରା ଅଂଚଳରେ ବସବାସ କରୁଥିବା ଏହି ଗାଁକୁ ନା ରାସ୍ତା ଅଛି ନା ପାନୀୟ ଜଳର ସୁବିଧା ରହିଛି। ଆଉ ସ୍ୱାସ୍ଥ୍ୟ କଥା ତ ନକହିବା ଭଲ। ୨୦୧୪ ନିର୍ବାଚନ ସମୟରେ ସ୍ଥାନୀୟ ବିଧାୟକ ଗ୍ରାମବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ। ହେଲେ ନିର୍ବାଚନ ସରିବା ପରେ ନା ପ୍ରତିଶ୍ରୁତି ପାଳନ ହେଲା ନା ଲୋକଙ୍କ ସମସ୍ୟା ଦୂର ହେଲା।

ଖାଲି ମାଳବିରିପୁର ଗାଁ ନୁହେଁ ପୋଲସରା ବ୍ଲକ୍‌ ପାଣ୍ଡିରିପଡ଼ା ପଞ୍ଚାୟତର ବ୍ରାହ୍ମଣଦେବୀ, ପିପଳାମଳି, ଉସ୍ତା ଓ ପୁଞ୍ଜିଆମା ଗାଁର ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଦାବି ପୂରଣ ନହେଲେ ଲୋକେ ଭୋଟ ବର୍ଜନ କରିବେ ବୋଲି ଧମକ ଦେଇଛନ୍ତି।

ଅନ୍ୟପଟେ ଅଭିଯୋଗକୁ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱୀକାର କରିଛନ୍ତି। ଉକ୍ତ ଅଂଚଳରେ ଜଳ ସ୍ତର କମ୍‌ ଥିବାରୁ ଖରା ଦିନେ ପାନୀୟ ଜଳ ସମସ୍ୟା ଉପୁଜୁଥିବା ସେ କହିଛନ୍ତି। ଏହାସହ ରାସ୍ତା କାମ ପାଇଁ ଟେଣ୍ଡର୍‌ ହୋଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି।

You might also like