ଲାଞ୍ଚ ନେବାର ଭଦ୍ର ଉପାୟ; “ଆମର କିଛି ଡିମାଣ୍ଡ ନାହିଁ, ଯାହା ହସ ଖୁସିରେ ଦେବେ”

ବଲାଙ୍ଗିର: ଲାଞ୍ଚ ନେବା ପାଇଁ ଡରେଇ ଧମ୍‌କେଇ ମାଗିଲେ କଥା ସରକାରଙ୍କ ପାଖରେ ପହଞ୍ଚିଯାଉଛି, ମିଡିଆ ହାଲ୍ଲା ହେଉଛି। ଆଉ ଚାକିରି ଯାଉଛି। ତେଣୁ ହାଲ୍‌କେଇ ନରମ କଥା କହି ଲାଞ୍ଚ ନେଲେ କିଛି ଅସୁବିଧା ହେବାର ନାହିଁ। ତେଣୁ ବାବୁ ଆମର ହାଲ୍‌କେଇ କି ଲାଞ୍ଚ ମାଗୁଛନ୍ତି।  ଆମେ କହୁଛୁ ବଲାଙ୍ଗିରର ଡିଭିଜନାଲ୍ ଲେବର୍ କମିଶନର ସରୋଜ କୁମାର ରଞ୍ଜିତୋଙ୍କ କଥା।

ବାବୁ କହୁଛନ୍ତି, ଆମର କିଛି ଡିମାଣ୍ଡ ନାହିଁ, ଆପଣ ଯାହା ହସ ଖୁସିରେ ଦେବେ। ମୁଁ କ’ଣ ପଦେ ଅଧେ କହିଛି ସେ କଥା ଭୁଲିଯାଆନ୍ତୁ। ଯାହା ଖୁସିରେ ଦେବେ…।

ଆଉ ଏମିତି ନରମ କଥା ଶୁଣିଲେ କାହା ମନ ନ ତରଳିବ କହିଲେ। ଏ କଥା ଶୁଣି ଲାଞ୍ଚଦାତା ଆମର ଫଟ୍‌ କରି ୫୦୦ ଟଙ୍କା କାଢ଼ି ବଢ଼େଉ ଦଉଛନ୍ତି। ଆଉ ବାବୁ ଆମର ପଇସା ଉପରେ ପେପର୍‌ ପକେଇ ଟଙ୍କାଟିକୁ ଲୁଚେଇ ଦେଉଛନ୍ତି।  ଆଉ ପଚାରିଲାବେଳକୁ କହୁଛନ୍ତି “ ମୁଁ ଟଙ୍କା ନେଇନି।”

ତେବେ କିଛି ସମୟ ପୂର୍ବରୁ ବଲାଙ୍ଗିର ଜିଲ୍ଲାର ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ଲାଞ୍ଚ ନେଉଥିବା ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଆଉ ଏବେ ଡିଭିଜନାଲ୍ ଲେବର୍ କମିଶନର ଲାଞ୍ଚ ନେଉଛନ୍ତି।

ବଲାଙ୍ଗିର ଜିଲ୍ଲାରେ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ତଳୁ ଉପର ଯାଏ ଏମିତି ଲମ୍ବିଛି ଦୁର୍ନୀତିର ଚେର।

ଏସମସ୍ତ ଦୃଶ୍ୟକୁ କ୍ୟାମେରାରେ ଜଣେ ସମାଜସେବୀ କଏଦ କରିଛନ୍ତି। ତେବେ ଲାଞ୍ଚ ନେବା ଅଭିଯୋଗରେ କିରାଣୀ ନିଲମ୍ବିତ ହୋଇଥିବା ବେଳେ ଡିଭିଜନାଲ୍ କମିଶନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ତା ଉପରେ ନଜର।

 

You might also like