ପରଲୋକରେ ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତ

ଭୁବନେଶ୍ୱର: ଆରପାରିରେ ଅବସରପ୍ରାପ୍ତ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ କେପି ଧଳସାମନ୍ତ। ଆଜି  ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇ ଯାଇଛି । ୭୦ ବର୍ଷ  ବୟସ୍କ ଲେଫ୍ଟନାଣ୍ଟ ଧଳସାମନ୍ତ  କିଛି ଦିନ ଧରି ଅସୁସ୍ଥ ଥିଲେ।

ଲେଫ୍ଟନାଣ୍ଟ ଜେନେରାଲ କେପି ଧଳସାମନ୍ତ ରାଷ୍ଟ୍ରୀୟ ରାଇଫଲର ଡିଜି ଭାବେ ଅବସର ନେଇଥିଲେ । ସେ ୧୯ ବର୍ଷ ବୟସରେ ସେନାରେ ସାମିଲ ହୋଇଥିଲେ।  ୧୯୭୧ ଇଣ୍ଡୋ-ପାକିସ୍ତାନ ଯୁଦ୍ଧ ଲଢ଼ିବା ସହ  ବିଭିନ୍ନ ଯୁଦ୍ଧରେ ନିଜ ବୀରତ୍ୱ ଦେଖାଇ ପାରିଥିଲେ। ସେଥିପାଇଁ ସେ ପୁରବୀ ଷ୍ଟାର ସମ୍ମାନରେ ସମ୍ମାନିତ ହୋଇଥିଲେ।

ପଞ୍ଜାବରେ ଆତଙ୍କବାଦୀ ନିପାତ ପାଇଁ ସେନାର ଅପରେସନ ବ୍ଲୁଷ୍ଟାରରେ ମଧ୍ୟ ସେ ସାମିଲ ହୋଇଥିଲେ।  ୧୯୯୯ ମସିହା କାର୍ଗିଲ ଯୁଦ୍ଧ ବେଳେ  ମଧ୍ୟ ତାଙ୍କର ବଳିଷ୍ଠ ଯୋଗଦାନ ଥିଲା।  କେବଳ ସେନା ଅପରେସନ ନୁହେଁ ପ୍ରାକୃତିକ ବିପତ୍ତି ପରିଚାଳନାରେ ମଧ୍ୟ ଅନେକ ଉପଲବ୍ଧି ସେ ହାସଲ କରିଥିଲେ।

୨୦୦୨ ବିହାର ବନ୍ୟା ଏବଂ ଗୟାରେ ରାଜଧାନୀ ଟ୍ରେନ୍ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ସେ କମାଣ ସମ୍ଭାଳିଥିଲେ । ଅବସର ପୂର୍ବରୁ ସେ ରାଷ୍ଟ୍ରୀୟ ରାଇଫଲର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ୨୦୦୭ରୁ ୨୦୧୦ ଯାଏ ସେ ଏହି ଦାୟିତ୍ୱ ତୁଲାଇଥିଲେ। ଅବସର ପରେ ସେ ଆର୍ମଡ ଫୋର୍ସେସ ଟ୍ରିବ୍ୟୁନାଲର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ ।

ତାଙ୍କର ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

 

You might also like