କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧୀ
ଥମୁନି କୋଟିଆ ବିବାଦ
ଭୁବନେଶ୍ୱର: ଓଡ଼ିଶା ସହ ସୀମା ବିବାଦ ପ୍ରସଙ୍ଗ ନେଇ ବିଧାନସଭାରେ ଆଲୋଚନା ହୋଇଛି। ଆଜି ଏ ସମ୍ପର୍କୀତ ଏକ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। କୋଟିଆ ସମେତ ସୀମାବର୍ତ୍ତୀ ଅଞ୍ଚଳରେ ମୌଳିକ ସୁବିଧା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ। ସେପେଟେ ମୁଲତବୀ ଆଲୋଚନା ବେଳେ ରାଜସ୍ୱମନ୍ତ୍ରୀ ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଓଡ଼ିଶାର ୧୪ଟି ଜିଲ୍ଲାର ସୀମା ପଡୋଶୀ ରାଜ୍ୟକୁ ଲାଗି ଥିବା ବେଳେ ୭ଟି ଜିଲ୍ଲାରେ ସୀମା ବିବାଦ ଲାଗି ରହିଛି।
ଏହି ସବୁ ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, ଗଞ୍ଜାମ, ଗଜପତି,ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ନୂଆପଡ଼ା। କୋରାପୁଟ ଜିଲ୍ଲାର କୋଟିଆ ବିବାଦ ସମ୍ପର୍କରେ ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତର ମଧ୍ୟ ରଖିଛନ୍ତି। ଏଥିରେ ଉଲ୍ଲେଖ ଅଛି ଯେ କୋଟିଆ ବିବାଦ ନେଇ ସୁପ୍ରିମକୋର୍ଟରେ ମାମଲା ରହିଛି। ଏହାସହ ଏହି ପ୍ରସଙ୍ଗରେ ଆନ୍ଧ୍ର ଜବାବର ପ୍ରତି ଜବାବ ଦାଖଲ ପାଇଁ ୪ ସପ୍ତାହ ସମୟ ମାଗିଛନ୍ତିି ରାଜ୍ୟ ସରକାର। ଆନ୍ଧ୍ର ୧୭ ତାରିଖରେ ସତ୍ୟପାଠ ମାଧ୍ୟମରେ ଜବାବ ଦେଇଛି।
ପୂର୍ବରୁ ସୁପ୍ରିମକୋର୍ଟ ସମୟ ଦେଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ଓକିଲ କହିଥିଲେ। ଏଣେ ପଶ୍ଚିମବଙ୍ଗ ସହ ସୀମା ବିବାଦର ସମାଧାନ ନେଇ ଆସନ୍ତାକାଲି ମେଦିନାପୁରରେ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀଙ୍କୁ ନେଇ ବୈଠକ ବସିବ ବୋଲି ଜଣାଯାଇଛି। ଏଥିରେ ସୀମା ଚିହ୍ନଟ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ଉତ୍ତର ରଖିଛନ୍ତି।
ସେପଟେ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସେ କହିଛନ୍ତି ଯେ, ଆମେ ପ୍ରଥମେ ମାଟି କଥା କହୁ ପରେ ପାର୍ଟି କଥା କିନ୍ତୁ ବିଜେଡି ଆଗେ ପାର୍ଟି ପରେ ମାଟି କଥା କହୁଛି। ଏହାର ପ୍ରମାଣ ଆପଣ ମାନେ କୋଟିଆ କ୍ଷେତ୍ରରେ ପାଇସାରିଛନ୍ତି। ୨୦୧୮ ସୁଦ୍ଧା ବିଜେଡି ସରକାରରେ ଥାଇ ମଧ୍ୟ ସେ ଅଂଚଳର କୌଣସି ବିକାଶ କଲେ ନାହିଁ। ୧୮ରେ ହିଁ ଜଣାପଡିଲା ଯେ, ଆନ୍ଧ୍ର ସରକାର ସେଠି ସରପଂଚ ବାଛିଲେ। ଏ କଥା ଜଣାପଡ଼ିବା ପରେ ପ୍ରଥମେ କଂଗ୍ରେସ ଯାଇ ସେଠାରେ ପହଞ୍ଚିଥିଲା। ବର୍ତ୍ତମାନ କୋଟିଆରେ ନିର୍ବାଚନ ବି ହେଲା। ୧୦୦୦ ଲୋକଙ୍କ ମଧ୍ୟରୁ ୬୦୦ ଲୋକ ଭୋଟ ମଧ୍ୟ ଦେଲେ। କିନ୍ତୁ ଏ ସରକାର କରୁଛି କଣ ବୋଲି ତାରା ପ୍ରଶ୍ନ କରିଛନ୍ତି।
ମନ୍ତ୍ରୀ ଯେମିତି ଉତ୍ତର ରଖିଛନ୍ତି ତାହା ହାସ୍ୟାପଦ। ରାଜ୍ୟ ସରକାର କେବଳ କହି ହେଉଛନ୍ତି ଆମେ ସ୍ପେଶାଲ ପ୍ୟାକେଜ ଦେଇଛୁ। ଆମେ କହୁଛୁ ୧୪୭ ବିଧାୟକ ଓ ସମସ୍ତ ମନ୍ତ୍ରୀ ଏକାଠି ହୋଇ କୋଟିଆ ଚାଲନ୍ତୁ। ବେଶି ସମୟ ରହିବାର ଆବଶ୍ୟକତା ନାହିଁ, ମାତ୍ର ୫ ମିନିଟ ଲାଗି ଆମେ ସମସ୍ତେ ଯିବା। ଆଉ କୋଟିଆର ନିଶ୍ଚୟ ସମାଧାନ ହେବ ବୋଲି ବିଜେପି ନେତା ମୋହନ ମାଝୀ କହିଛନ୍ତି।
ସେପଟେ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ, ଆମ ରାଜ୍ୟକୁ ଜବରଦସ୍ତି ଆନ୍ଧ୍ର ପଶିଆସିଛି। ତାହାକୁ କୌଣସି ଉପାସରେ ବରଦାସ୍ତ କରାଯିବ ନାହିଁ। ତେଣୁ ଏ ପ୍ରସଙ୍ଗରେ ଆମେ ସୁପ୍ରିମକୋର୍ଟ ଯାଇଛୁ। ସ୍ଥାନୀୟ ଅଂଚଳର ବିକାଶ ପାଇଁ ସରକାର କାମ କରୁଛନ୍ତି।