କୋଟିଆ ପରେ ଏବେ ସୁନାବେଡା ଗାଁ ଉପରେ ଆନ୍ଧ୍ରର ନଜର

ଭୁବନେଶ୍ୱର: କୋଟିଆ ଅଞ୍ଚଳକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଓଡ଼ିଶା ସୀମାର କୋଟିଆ ପଞ୍ଚାୟତରେ ଥିବା ତଳଗଂଜେଇ ପଦରରେ ଆନ୍ଧ୍ର ପକ୍ଷରୁ ବଡ ବଡ ପୋଖରୀ ଖୋଳି ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଇଛି ତଳଗଂଜେଇ ପଦରରେ ଏକ ବଡ ପୋଖରୀ ଖୋଳୁଥିଲାବେଳେ ଅନ୍ୟ କିଛି ଗାଁରେ ମଧ୍ୟ ପୋଖରୀ ଖୋଳିବା ପାଇଁ ଯୋଜନା କରୁଛି ଆନ୍ଧ୍ର ।

ଅପରପକ୍ଷରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି, ଆନ୍ଧ୍ର ପକ୍ଷରୁ ପୋଖରୀ ଖୋଳାଯିବା ନେଇ ପ୍ରଶାସନ ପାଖରେ ଖବର ରହିଛି । ଏଥିନେଇ ପଟାଙ୍ଗୀ ତହସିଲଦାର ଓ ବିଡିଓଙ୍କୁ ଅନୁଧ୍ୟାନ କରିବାକୁ କୁହାଯାଇଛି। ସେମାନେ କେଉଁଠି ପୋଖରୀ ଖୋଳିଛନ୍ତି ତାହା ଯାଂଚ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେପଟେ ସାଂସଦ ଏହାକୁ ଶୁଣି ତୀବ୍ର ବିରୋଧ ଓ ନିନ୍ଦା କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।  ଏହାକୁ ବିରୋଧ କରିବୁ ଏବଂ ଇଞ୍ଚେ ବି ଜାଗା ଆନ୍ଧ୍ରକୁ ଦେବୁନି ବୋଲି କହିଛନ୍ତି ସାଂସଦ।

ଏତିକିରେ ଥମିନି ଆନ୍ଧ୍ରର ଦାଦାଗିରି। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ସମ୍ବାଇ ପଞ୍ଚାୟତ ସୁନାବେଡା ଗାଁ ଉପରେ ବି ନଜର ପକାଇଛି ଆନ୍ଧ୍ର। ନଭେମ୍ବର ୮ରେ ଏହି ଗାଁରେ ଅନୁପ୍ରବେଶ କରିଥିଲା ଆନ୍ଧ୍ରପ୍ରଦେଶ । ଓଡ଼ିଶା ସୀମା ଭିତର ୬ ଶହ ମିଟର ପଶି ଆନ୍ଧ୍ର ସ୍ୱାଗତ ବୋର୍ଡ ଓ ମାଇଲଖୁଣ୍ଟ ଲଗାଇଥିଲା।

ଏହାର ପରଦିନ ଅର୍ଥାତ ନଭେମ୍ବର ୯ରେ ସମ୍ବାଇର ସରପଞ୍ଚ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ। ଏହାସହ ପଟାଙ୍ଗୀ ଥାନାରେ ରୁଜୁ ହୋଇଥିଲା ମାମଲା॥ ନଭେମ୍ବର ୧୦ରେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ସ୍ଥାନୀୟ ବିଧାୟକ, ବ୍ଲକ ଅଧ୍ୟକ୍ଷ, ଉପ ଜିଲ୍ଲାପାଳ, ଏସଡିପିଓଙ୍କ ସମେତ ରାଜସ୍ୱ ଅଧିକାରୀ। ଆନ୍ଧ୍ରର ପୋତା ଯାଇଥିବା ମାଇଲ ଖୁଣ୍ଟ ଓ ସ୍ୱାଗତ ବୋର୍ଡକୁ କାଢି ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ପୋତିଥିଲେ। ଏଥିସହିତ ଘଟଣାସ୍ଥଳରେ ଓଡ଼ିଶାର ସ୍ୱାଗତ ବୋର୍ଡ ଲଗା ଯାଇଥିଲା।

ନଭେମ୍ବର ୧୧ରେ ଆନ୍ଧ୍ରପ୍ରଦେଶ ସୀମାର ଡୁମ୍ବୁରିଗୁଡା ପଞ୍ଚାୟତ ଓ ଅନ୍ୟ ଗ୍ରାମବାସୀ ଘଟଣାସ୍ଥଳକୁ ଆସି ଓଡ଼ିଶା ତରଫରୁ ପୋତାଯାଇଥିବା ବୋର୍ଡକୁ ବାହାର କରି ଦେଇଥିଲେ॥ ଖାଲି ଏତିକି ନୁହେଁ ପଥର ପକାଇ ରାସ୍ତା ବି ଅବରୋଧ କରିଥିଲା। ନଭେମ୍ବର ୧୨ରେ ସମ୍ବାଇ ସରପଞ୍ଚ ଘଟଣାସ୍ଥଳକୁ ଯିବା ବେଳେ ଆନ୍ଧ୍ରର ବାସିନ୍ଦା ତାଙ୍କୁ ଘେରିଯାଇ ପାଟିତୁଣ୍ଡ କରିଥିଲେ। ନଭେମ୍ବର ୧୪ରେ ସୁନାବେଡା ଗାଁକୁ ଲାଗିଥିବା ଆନ୍ଧ୍ରର ଲୋକପ୍ରତିନିଧିମାନେ ଘଟଣାସ୍ଥଳକୁ ଆସିଥିଲେ । ସେଠାରେ ଦୁଇ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।  ଏପରିକି ଆନ୍ଧ୍ରର ଜନ ପ୍ରତିନିଧି ଓ ବାସିନ୍ଦା ପ୍ଲାକାଡ୍ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

You might also like