ଭଙ୍ଗା କୁଡ଼ିଆରେ ବ୍ଲକ ଅଧ୍ୟକ୍ଷା, ତଥାପି କର୍ତ୍ତବ୍ୟ ଭୁଲି ନାହାନ୍ତି

ଯାଜପୁର (ଅଭୟ ପତି): ସେ ଜଣେ ଦିନ ମଜୁରିଆ । ମଜୁରୀ ଲାଗିବା ତାଙ୍କ ପେଷା। ହେଲେ ଏବେ ତାଙ୍କର ଭାଗ୍ୟଚକ୍ର ବଦଳି ଯାଇଛି।  ସତେ ଯେମିତି ତାଙ୍କ ମୁଣ୍ଡରେ ହାତୀ ସୁନା କଳସି ଢାଳି ଦେଲା।  ଏବେ ଓଡ଼ିଶାର ଏକ ଚର୍ଚ୍ଚିତ ର୍ନିବାଚନ ମଣ୍ଡଳୀ କୋରେଇର ସେ ବ୍ଲକର ଅଧ୍ୟକ୍ଷା।  ଲୋକଙ୍କ ସମସ୍ୟା ବୁଝୁବୁଝୁ ନିଜପାଇଁ ସମୟ ପାଉ ନାହାନ୍ତି। ନାଁ ବଦଳିଛି, ପେଷା ବି ବଦଳିଛି। ହେଲେ ଜୀବନଶୈଳୀ ବଦଳିନି। ଆର୍ଥିକ ସ୍ଥିତି ମଧ୍ୟ ବଦଳିନି। ନଜ ପାଇଁ ଘର ଖଣ୍ଡେ ମଧ୍ୟ କରିପାରିନାହାନ୍ତି ସେ। ରହୁଛନ୍ତି ପାଲଟଣା ଭଙ୍ଗା ଚାଳଘରେ । ସେ ହେଉଛନ୍ତ କୋରେଇ ବ୍ଲକ ଅଧକ୍ଷା ମାଳତୀ ଟୁଡୁ।

ବ୍ଲକ ଅଧ୍ୟକ୍ଷା ହେଲେ ବୋଲି ତାଙ୍କ ମନରେ ଅହଙ୍କାର ନାହିଁ। ନିଜ କର୍ତ୍ତବ୍ୟ କ’ଣ ସେ ବୁଝିଛନ୍ତି ଆଉ ମନ ଦେଇ କରୁଛନ୍ତି। ଘର ଖଣ୍ଡେ ନାହିଁ ବୋଲି ଦୁଃଖ ବି ନାହିଁ। ପଚାରିଲେ କୁହନ୍ତି, ଲୋକଙ୍କ ସେବା ମାଧବ ସେବା।  ମୋର ଏଇଥିରେ ଆନନ୍ଦ ।

ସାଧାରଣ ଲୋକ ତାଙ୍କ ଘର ଦେଖିଲେ ବିଶ୍ୱାସ କରିପାରିବନି।  ଝାଟିମାଟିର ଭଙ୍ଗା କୁଡ଼ିଆ। କୁଡ଼ିଆରୁ ଚାଳ ଛପର ଉଡ଼ିଯାଇଥିବା ବେଳେ ଖରା ବର୍ଷାରୁ ରକ୍ଷା ପାଇଁ ପଲିଥିନ ସାଜିଛି ଭରସା । ବାହାର ବାରଣ୍ଡାରେ ଚାଲିଛି ରୋଷେଇବାସ।  ସ୍ୱାମୀ ଓ ଦୁଇ ପୁଅକୁ ନେଇ ଏଇ ଭଙ୍ଗା ଦଦରା ଘରେ ରହି ଆସୁଛନ୍ତି ମାଳତୀ । ଫୋନି ଓ ଅମ୍ପନ ପରି ବାତ୍ୟାରେ ଚାଳ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲେ ବି ମିଳିନି ସରକାରୀ ସହାୟତା।  ତା ଛଡ଼ା ସମ୍ବଳ ଅଭାବରୁ ନିଜେ ମଧ୍ୟ ଘର ଖଣ୍ଡେ କରିପାରି ନାହାନ୍ତି । ଅନ୍ୟକୁ ସହାୟତାର ହାତ ବଢଉଥିବା ମାଳତି ନିଜ ପାଇଁ ସରକାରୀ ଯୋଜନାରେ ଘର ଖଣ୍ଡେ କରି ପାରିନାହାନ୍ତି।

ସ୍ୱାମୀ ମୂଲ ମଜୁରୀ ଲାଗି ଯାହା ଆଣନ୍ତି ସେଇଥିରେ ଚଳେ ପରିବାର। ୨୦୧୭ରେ ପ୍ରଥମ ଥର ଲାଗି ପଂଚାୟତ ସମିତି ମେମ୍ବର ଭାବେ ଜିତିଥିଲେ ମାଳତୀ। ବ୍ଲକରେ ସେହି ବର୍ଷ ଅଧକ୍ଷ ପଦ ସାଧାରଣ ବର୍ଗଙ୍କ ପାଇଁ ନଥିଲା। ତେଣୁ ମାଳତୀଙ୍କୁ ଏହି ପଦବୀ ନିମନ୍ତେ ମନୋନୀତ କରାଯାଇଥିଲା ।

ଗାଁ ଲୋକ ବି ତାଙ୍କ ସଚ୍ଚୋଟତା ନେଇ ଗର୍ବ କରନ୍ତି। କୁହନ୍ତି, ଚଳ ଘରେ ରହୁଥିଲେ। ଫନି ବାତ୍ୟା ପରେ ଘର ତାଙ୍କର ଉଜୁଡ଼ି ଯାଇଛି। ୪ ବର୍ଷ ଧରି ସେ ପ୍ରଶାସନିକ ଦାୟିତ୍ୱରେ ରହିଲେଣି। ହେଲେ ବି ନିଜ ପାଇଁ ଘର ଖଣ୍ଡେ କରିନାହାନ୍ତି। ସେ ଦୁର୍ନୀତି, ଚଞ୍ଚକତାରୁ ଦୂରରେ ଥିବାରୁ ସେ ନିଜ ପାଇଁ କିଛି କରିପାରି ନାହାନ୍ତି।

ଦୁର୍ନୀତିର ପାଖ ମାଡ଼ି ନଥିବା ମାଳତୀଙ୍କ ପରି ଜଣେ ସ୍ତ୍ରୀଙ୍କୁ ପାଇ ତାଙ୍କ ସ୍ୱାମୀ ମଧ୍ୟ ଗର୍ବ ଅନୁଭବ କରନ୍ତି । କିଛି ନ ଥିଲେ ବି ସେ ଦୁର୍ନୀତିର ପାଖ ମାଡ଼ି ନାହାନ୍ତି। ଅନ୍ୟର ସେବା କରୁଛନ୍ତି। ଏହା ତାଙ୍କୁ  ଭଲ ଘର ଖଣ୍ଡେ ପାଇବାର ଆନନ୍ଦଠାରୁ ଅଧିକ ଖୁସି ଦେଇଛି।

ରାଜନୀତିରେ ଥିବା ଏପରି ଜଣେ ସ୍ୱଚ୍ଛ, ନିର୍ମଳ ନେତ୍ରୀ ମାଳତୀଙ୍କୁ ସରକାରଙ୍କ ପକ୍ଷରୁ ଘର ଖଣ୍ଡେ ଯୋଗାଇ ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

 

You might also like