ପୁଣି ଓଡ଼ିଶା ଫେରୁଛି ପସ୍କୋ !

ଭୁବନେଶ୍ୱର : ଦକ୍ଷିଣ କୋରିଆର ବିଶାଳ ଷ୍ଟିଲ୍ ଉତ୍ପାଦନକାରୀ କଂପାନି ପସ୍କୋ ପୁଣି ଓଡ଼ିଶା ଫେରୁଥିବା ସୂଚନା ।  ପ୍ରାୟ ୧୨ ବିଲିୟନ୍ ୟୁଏସ୍ ଡଲାର ବା ୮୯ ହଜାର ୭୧୩ କୋଟି ଟଙ୍କା ରେକର୍ଡ ପରିମାଣର ପୁଞ୍ଜି ନିବେଶ କରି ରାଜ୍ୟରେ ଏକ ସମନ୍ୱିତ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ମନ ବଳାଇଛି କଂପାନି । ଗତକାଲି ଓଡ଼ିଶା- ଦକ୍ଷିଣ କୋରିଆ ମଧ୍ୟରେ ବାଣିଜ୍ୟ କାରବାର ପ୍ରୋତ୍ସାହନକୁ ନେଇ ଆୟୋଜିତ ଭର୍ଚୁଆଲ୍ ବୈଠକରେ ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସିନ୍ ବୋଙ୍ଗଜିଲ୍ ଏଇ ସୂଚନା ଦେଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ୍ ରିଲିଜରେ କୁହାଯାଇଛି  ।

ଏପରିକି ଭାରତ ଇତିହାସରେ ଏହା ଅନ୍ୟତମ ବୃହତ ଏକକ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜିନିବେଶ ହେବ ବୋଲି କୁହାଯାଇଛିି । ବୈଠକରେ ରାଜ୍ୟ ଶକ୍ତି,ଶିଳ୍ପ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଶିଲ୍ପ ବିଭାଗର ସ୍ୱତନ୍ତ୍ର ସଚିବ ନୀତିନ ଭାନୁଦାସ ଜଓ୍ୱାଲେ ପ୍ରମୁଖ ଯୋଗ ଦେଇଥିଲେ । ବାରମ୍ବାର ଆନ୍ଦୋଳନ ଓ ଅନ୍ୟ ବିଭିନ୍ନ କାରଣ ପାଇଁ ଜଗତସିଂହପୁରରେ ୫୨ ହଜାର କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପରୁ ପସ୍କୋ ଓହରି ଯାଇଥିଲା । ଏହି ପ୍ରକଳ୍ପ ପାଇଁ ୨୦୦୫ରେ ପସ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା ।

କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ଘୋର ବିରୋଧ, ପରିବେଶ ମଂଜୁରୀ ମିଳିବାରେ ବିଳମ୍ବ ଏବଂ ପସ୍କୋ ସହ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଏମ୍ଓୟୁର ନବୀକରଣ ହୋଇ ନପାରିବା ଭଳି କାରଣ ପାଇଁ ପରବର୍ତ୍ତୀ ସମୟରେ କମ୍ପାନି ଏହି ମେଗା ପ୍ରକଳ୍ପରୁ ଓହରିଯିବା ସହ ଓଡ଼ିଶା ଛାଡ଼ିଥିବା କୁହାଯାଇଥିଲା । ରାଜ୍ୟ ସରକାର ମଧ୍ୟ ପ୍ରସ୍ତାବିତ ପସ୍କୋ ପ୍ରକଳ୍ପ ପାଇଁ ହୋଇଥିବା ଅଧିକୃତ ଜମିକୁ ନିଜ ପାଖକୁ ଫେରାଇ ଆଣିଥିଲେ । ହେଲେ ଏବେ ରାଜ୍ୟରେ ପସ୍କୋ ପୁଣି ପାଖାପାଖି ୯୦ ହଜାର କୋଟି ଟଙ୍କାର ରେକର୍ଡ ପୁଞ୍ଜିନିବେଶ ପାଇଁ ମନବଳାଇବା ଖବରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

You might also like