ଦିନେ ଦାଦନ ଖଟି ନ ଗଲେ ଘରେ ଚୁଳି ଜଳୁନଥିଲା, ଏବେ ମିଳିଯାଇଛି ରୋଜଗାରର ପନ୍ଥା

ବ୍ୟାଗ୍ ତିଆରି କରିବା ଏବେ ପାଲଟିଛି ରୋଜଗାରର ମାଧ୍ୟମ

କୋରାପୁଟ( ସୂର୍ଯ୍ୟ ନାରାୟଣ ପଣ୍ଡା) : ଦିନେ ଦାଦନ ଖଟି ନ ଗଲେ ଘରେ ଚୁଳି ଜଳିବା ମୁସ୍କିଲ ହୋଇପଡୁଥିଲା। କିନ୍ତୁ ଏବେ ସମୟ ସହ ତାଳ ଦେଇ ନିଜ ଅଞ୍ଚଳରେ ରୋଜଗାରର ପନ୍ଥା ଖୋଜିଛନ୍ତି ଲୋକେ। ବଜାରରୁ ସିମେଣ୍ଟ ଓ ଚିଙ୍ଗୁଡ଼ି ପାଇଁ ଆସୁଥିବା ଖାଦ୍ୟ ବସ୍ତା ସଂଗ୍ରହ କରି ବ୍ୟାଗ୍ ତିଆରି କରୁଛନ୍ତି। ଏହି କାମରେ କୋଟାପୁଟ ଜିଲ୍ଲା ବଙ୍ଗଳାଗୁଡ଼ା ଗାଁର ପୁରୁଷ, ମହିଳାଙ୍କ ଠାରୁ ଆରମ୍ଭ କରି ପିଲାମାନେ ବି ନିୟୋଜିତ ହୋଇଛନ୍ତି।

ମହିଳା, ପୁରୁଷଙ୍କ ଠାରୁ ଆରମ୍ଭ କରି ଛାତ୍ରୀଛାତ୍ରୀ, ସମସ୍ତେ ଲାଗିପଡ଼ିଛନ୍ତି ବ୍ୟାଗ୍ ସିଲେଇରେ। ଏଥିରୁ ଯାହା ରୋଜଗାର ହେଉଛି, ସେଥିରେ ଘରର ତେଲ ଲୁଣ ଖର୍ଚ୍ଚ ସହ ପିଲାମାନେ ବି ତାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରୁଛନ୍ତି। ଜଣକ ପିଛା ଦୈନିକ ୨ଶହରୁ ଅଧିକ ବ୍ୟାଗ୍ କରି ରୋଜଗାର କରୁଛନ୍ତି ପ୍ରାୟ ୫ ଶହ ଟଙ୍କା।

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ବଙ୍ଗଳାଗୁଡ଼ା ଗାଁର ୧୨୦ ପରିବାର ଏହାକୁ ବ୍ୟବସାୟର ପନ୍ଥା ଭାବେ ଗ୍ରହଣ କରିଛନ୍ତି। ଜଳାଭାବରୁ ଚାଷବାସ ନ କରିପାରି ରାଜ୍ୟ ବାହାରକୁ ଦାଦନ ଖଟି ଯାଉଥିଲେ ଲୋକେ। କିନ୍ତୁ ଏବେ ନିଜ ଅଞ୍ଚଳରେ ରହି ବ୍ୟାଗ୍ କରି ସ୍ୱାବଲମ୍ବୀ ହୋଇଛନ୍ତି।

ପ୍ରଥମେ ବଜାରରୁ ସିମେଣ୍ଟ ବସ୍ତା ସଂଗ୍ରହ କରି ତାହାକୁ ଭଲ ଭାବେ ଧୋଇବା ପରେ ଶୁଖାଇ ବ୍ୟାଗ୍ ତିଆରି କରୁଥିଲେ। କିନ୍ତୁ ଏବେ ଆନ୍ଧ୍ରରୁ ଚିଙ୍ଗୁଡ଼ି ଖାଦ୍ୟ ବସ୍ତା ସଂଗ୍ରହ କରି ବ୍ୟାଗ୍ କରୁଛନ୍ତି। ଏଥିରେ କମ୍ ପରିଶ୍ରମରେ ବ୍ୟାଗ୍ ହେଉଛି। ତେବେ ସରକାରୀସ୍ତରରେ ଏମାନଙ୍କୁ ଅଧିକ ପ୍ରଶିକ୍ଷଣ ଓ ସହାୟତା ମିଳିଲେ ଅଧିକ ଲାଭବାନ ହୋଇପାରନ୍ତେ ବୋଲି କହିଛନ୍ତି ବ୍ୟାଗ୍ କାରିଗର।

ବଜାରରେ ବ୍ୟାଗ୍‌ର ଆବଶ୍ୟକତା ଅଧିକା ଥିବାରୁ ଅନ୍ୟମାନେ ମଧ୍ୟ ଧିରେ ଧିରେ ରୋଜଗାରର ପନ୍ଥା ଭାବେ ଏହାକୁ ଆପଣେଇ ନେଇଛନ୍ତି।

ଆହୁରି ପଢ଼ନ୍ତୁ

You might also like